Odisha News

ଆଜିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୦/୯: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ପ୍ରଭାବରେ ଶନିବାରଠାରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଦକ୍ଷିଣରେ ଭାରୀ ବର୍ଷା ହୋଇପାରେ । ଉପକୂଳର କିଛି ଜିଲ୍ଲାରେ ବି ଅଧିକ ବର୍ଷିବ । ୧୧, ୧୨ ଓ ୧୩ ତାରିଖରେ ବି ଭୀଷଣ ବର୍ଷିପାରେ ।
ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୪ ଦିନ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ୧୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୩୬ ଘଣ୍ଟାରେ ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ କୂଳରେ ରହିବ ।
ପାଣିପାଗ ବିଭାଗର ଦୁଇଟି ମଡେଲ୍ କହୁଛି ଏହା ଗଭୀର ଅବପାତର ରୂପ ନେଇପାରେ । ଏହା ପ୍ରଭାବରେ ଶନିବାର ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଏହି ସବୁ ଜିଲ୍ଲାରେ ହାରାହାରି ବର୍ଷା ପରିମାଣ ୭ରୁ ୨୦ସେମି ରହିବ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବି ଅଧିକ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ।
୧୧ ତାରିଖରେ କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଗଞ୍ଜାମ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ ସୋନପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବି ଭାରୀ ବର୍ଷା ହେବ । ୧୨ ଓ ୧୩ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଲଗାଇଛି ।
ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗୋପାଳପୁରରେ ୩୧.୪, ପୁରୀରେ ୨୧, ଢେଙ୍କାନାଳରେ ୧୭.୩, ଚାନ୍ଦବାଲିରେ ୧୩.୬ ମିଲିମିଟର ବର୍ଷା ହୋଇଛି । ସନ୍ଧ୍ୟାରେ କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ହୋଇଛି ।

Related Posts

Seo wordpress plugin by www.seowizard.org.