Odisha News

ଅତିରିକ୍ତ ଜିଲ୍ଲାପାଳଙ୍କୁ ସୁନ୍ଦରଗଡ ଆଣିଲା ଭିଜିଲାନ୍ସ, ସରକାରୀ ବାସଭବନରେ କରିବ ଚଢାଉ

ସୁନ୍ଦରଗଡ଼, ୧୨/୨ : ଭିଜିଲାନ୍ସ ଜାଲରେ ଗତକାଲିଠୁ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର ପଡ଼ିଥିବା ବେଳେ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି ।ଶନିବାର ତାଙ୍କୁ ସୁନ୍ଦରଗଡ଼ରେ ଜେରା କରାଯିବ।
ଆଉ ୧୬ ଦିନ ପରେ ସେ ଚାକିରିରୁ ଅବସର ନେଇଥାନ୍ତେ। ତା’ ପୂର୍ବରୁ କୁବେର ବାବୁଜଣକ ଭିଜିଲାନ୍ସ ଜାଲରେ ପଡ଼ିଥିବା ବେଳେ ଠାବ ହୋଇଛି ଆଖି ଖୋସିଦେବା ପରି ସମ୍ପତ୍ତି।
ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ୮୯ ଲକ୍ଷ ଟଙ୍କାର ବିଲ୍ଡିଂ ସହ ରସୁଲଗଡ ସମେତ ଅନ୍ୟାନ୍ୟ ସ୍ଥାନରେ ତାଙ୍କ ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ନହରକଣ୍ଟା ଓ ଖୋର୍ଦ୍ଧା ଜଟଣୀ, ଜଗତସିଂହପୁରରେ ମୋଟ ୧୦ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ୨କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ, ଇନସ୍ୟୁରାନ୍ସ ଦସ୍ତାବିଜ୍ ଓ ୩୫୦ ଗ୍ରାମର ସୁନା ଗହଣା ମିଳିଛି। ଏହାସହ ବିଶ୍ୱଜିତଙ୍କ ପତ୍ନୀଙ୍କ ନାଁରେ ନହରକଣ୍ଟାରେ ସିମେଣ୍ଟ ବିଜିନେସ୍ ଅଛି।
ଗତକାଲି ଭିଜିଲାନ୍ସ ବିଶ୍ୱଜିତଙ୍କ ସୁନ୍ଦରଗଡ଼ ଅଫିସ୍ ଓ ଘର ସମେତ ଭୁବନେଶ୍ୱରସ୍ଥିତ ବାଲିଅନ୍ତା ଘର, ନୟାପଲ୍ଲୀରେ ଥିବା ଫ୍ଲାଟ୍, ଜଗତସିଂହପୁରରେ ଥିବା ପୈତୃକ ଘର, ମଣିଜଙ୍ଗାରେ ଥିବା ଜଣେ ସମ୍ପର୍କୀଙ୍କ ଘର ଓ ରାଜଗାଙ୍ଗପୁରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରିଥିଲା।
ଭିଜିଲାନ୍ସ ବିଭାଗର ୮ ଜଣ ଡିଏସପି, ଦୁଇ ଜଣ ଇନ୍ସିପେକ୍ଟର ଓ ୫ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ଦୀର୍ଘଦିନ ହେଲା ବିଶ୍ୱଜିତ ମହାପାତ୍ର ଭିଜିଲାନ୍ସ ସ୍କାନରରେ ଥିଲେ। ତାଙ୍କ ନାଁରେ ଅନେକ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଥାଇ ସେ ଏମ୍ସିଏଲର ବିସ୍ଥାପିତଙ୍କୁ ଟଙ୍କା ପ୍ରଦାନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଜଣେ ଆରଆଇଙ୍କ ମାଧ୍ୟମରେ ସେ ବିସ୍ଥାପିତଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ।
ସୂଚନାଯୋଗ୍ୟ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଫେବ୍ରୁଆରୀ ୨୮ ତାରିଖରେ ଚାକିରିରୁ ଅବସର ନେଇଥା’ନ୍ତେ।

Related Posts

Seo wordpress plugin by www.seowizard.org.