Odisha News

୨୦୨୧-୨୨ ବର୍ଷ ପାଇଁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ସୁଧୁରୁଛି ଓଡିଶା ଅର୍ଥନୀତି

ଭୁବନେଶ୍ବର,୨୯/୩ : ମଙ୍ଗଳବାର ଓଡ଼ିଶା ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି ।
ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶା ଅର୍ଥନୀତି ଧୀରେ ଧୀରେ କୋଭିଡ ମହାମାରୀର ପ୍ରଭାବକୁ ଅତିକ୍ରମ କରି ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି । ମହାମାରୀର ଗୁରୁତର ପ୍ରଭାବ ଯୋଗୁଁ ୨୦୨୦-୨୧ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ( ରାଜ୍ୟ ମୋଟ ଘରୋଇ ଉତ୍ପାଦ) ୫.୩ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ପୁଣି ଅଭିବୃଦ୍ଧି ପଥକୁ ଫେରିବା ସହ ୧୦.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ।
ତେବେ ଚିନ୍ତାଜନକ ବିଷୟ ହେଉଛି ମହାମାରୀ ବର୍ଷ (୨୦୨୦-୨୧)ରେ ରାଜ୍ୟର ଅର୍ଥନୀତି ୭.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ଏହା ୩.୪ ପ୍ରତିଶତ ଧୀମା ହେବା ଅଟକଳ କରାଯାଇଛି ।
ଅନ୍ୟପକ୍ଷରେ କରୋନା ମହାମାରୀ ଓଡ଼ିଶା ଲୋକମାନଙ୍କର ବ୍ୟକ୍ତିଗତ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିଥିଲା । ମହାମାରୀ ପୂର୍ବବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧୧୦,୦୮୧ ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧୦୯,୦୭୧ ଟଙ୍କାକୁ ହ୍ରାସ ପାଇଥିଲା । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ଏଥିରେ ଉନ୍ନତି ଆସି ୧୨୭,୩୮୩ ଟଙ୍କାକୁ ବୃଦ୍ଧି ପାଇବ । ତଥାପି ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟ ଟ.୧୫୦,୩୨୬ର ୮୪.୭ ପ୍ରତିଶତ ରହିଛି ।

Related Posts

Seo wordpress plugin by www.seowizard.org.