Odisha News

ସ୍ୱାଭାବିକ ସ୍ଥିତିକୁ ଫେରିବ ମୌସୁମୀ, ୬ରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା !

ଭୁବନେଶ୍ୱର,୪/୭: ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ଦେଇ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।
ଅନ୍ୟପକ୍ଷରେ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଏବଂ ସମୁଦ୍ର ପତନଠାରୁ ୧.୫ରୁ ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ- ପଶ୍ଚିମ ଦିଗକୁ ଗତି କରିବା ସହ ସକ୍ରିୟ ରହିଛି।
ଏହାର ପ୍ରଭାବରେ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁନର୍ବାର ସ୍ୱାଭାବିକ ସ୍ଥିତିକୁ ଫେରିବ ଏବଂ ଆଜିଠୁ (ମଙ୍ଗଳବାର) ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏବଂ ୬ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବା ସହ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୫ ଜୁଲାଇ, ବୁଧବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related Posts

Seo wordpress plugin by www.seowizard.org.