Odisha News

ଧାମନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭଦ୍ରକ,୭/୧୦: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ହୋଇପାରିବ।
ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ଯାଏ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ଜଣେ ପ୍ରସ୍ତାବକ ମନୋନୟନ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଦ୍ରକଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ତହସିଲଦାର ତିହିଡିଙ୍କ ନିକଟରେ ଦାଖଲ କରିପାରିବେ।
ଭଦ୍ରକ ବିଡିଓଙ୍କ କାର୍ଯ୍ୟାଳୟରେ ଆସନ୍ତା ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ପୂର୍ବାହ୍ଣ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ହେବ।
ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା। ଏହା ପରଠୁ ଏହି ଆସନଟି ଖାଲି ପଡ଼ିଛି। ବିଷ୍ଣୁ ସେଠୀ ପ୍ରାୟ ବର୍ଷେ ଧରି କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ନିୟମିତ ଡାଇଲିସିସ୍ ଚାଲିଥିଲା।
ତେବେ ପରେ ଫୁସ୍ଫୁସ୍ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ମାସେ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଗତ ସେପ୍ଟେମ୍ବର ୧୯ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ଖାଲି ହୋଇଛି। ଧାମନଗର ଉପନିର୍ବାଚନ ପାଇଁ ଏଯାଏ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେପି ପକ୍ଷରୁ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ। ସେପଟେ ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଅଙ୍କ ଛିଡୁନି। ଲଗାତର ଦୁଇଦିନ ଧରି ଜୋରଦାର ଆଲୋଚନା ଚାଲୁଥିଲେ ବି ପ୍ରାର୍ଥୀ ସ୍ଥିର ହୋଇନାହିଁ।
ତେବେ ୨୦୧୯ ନିର୍ବାଚନରେ ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ଲାଗି ଜୋରଦାର ଦାବି ହେଉଥିବା ବେଳେ କିଛି ସ୍ଥାନୀୟ ନେତା ଏହାକୁ ବିରୋଧ କରୁଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ଉପନିର୍ବାଚନ ପାଇଁ ୬ ଜଣ ପର‌୍ୟ୍ୟବେକ୍ଷକଙ୍କୁ ଧାମନଗର ଦାୟିତ୍ୱ ଦିଆଯାଇଛି।

Related Posts

Seo wordpress plugin by www.seowizard.org.