Odisha News

ଗଜପତି: ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୨୪ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧/୧୦: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୪-ପାଳନ ଅବସରରେ ବିଭିନ୍ନ ଉପାଦେୟତା ମୂଳକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ଯୋଗାସନ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଗୁରୁ ସୁବାସ ଚନ୍ଦ୍ର ରାଉତ ବହୁ ସଂଖ୍ୟାରେ ଆସିଥିବା ବୟୋଜ୍ୟେଷ୍ଠ ନାଗରିକ ମାନଙ୍କୁ ଦେଢ଼ ଘଣ୍ଟା ଧରି ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଜୀବନ ବିତାଇବା ଦିଗରେ ବିଭିନ୍ନ ପ୍ରକାରର ଯୋଗାସନ ଓ ପ୍ରାଣାୟାମ ଶିକ୍ଷା ଦେଇ ଦୈନିକ ଜୀବନରେ ଏହାର ଆବଶ୍ୟକତା ଉପରେ କହିଥିଲେ ।
ସେହିଭଳି ଯୋଗାସନ ଓ ପ୍ରାଣାୟାମ କାର‌୍ୟ୍ୟକ୍ରମ ପରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଧିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ଦାସ ଯୋଗଦେଇ ଶତାଧିକ ବରିଷ୍ଠ ନାଗରିକଙ୍କ ଚିକିତ୍ସା କରିଥିଲେ । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ରକ୍ତଚାପ ଓ ମଧୁମେହ ପରୀକ୍ଷା ମଧ୍ୟ କରାଯିବା ସହ ସମସ୍ତଙ୍କୁ ମାଗଣା ଔଷଧ ପ୍ରଦାନ କରା ଯାଇଥିଲା ।
ସେହିଭଳି ପୂର୍ବାହ୍ନ ରେ ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସଚେତନତା କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ଅଧ୍ୟକ୍ଷତା କରି ବୟସ୍କ ମାନଙ୍କ ଅଭିଜ୍ଞତା ଓ ଅନୁଭୂତି ହିଁ ସମାଜ ପାଇଁ ମଙ୍ଗଳମୟ ହୋଇଥାଏ । ସେହି ବୟସ୍କ ମାନଙ୍କ ଦ୍ଵାରା ହିଁ ବିଭିନ୍ନ କ୍ଷେତ୍ରରେ ସମାଜ ଆଗେଇବା ସହ ଏକ ଉନ୍ନତ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ ।
ତେଣୁ ବୟସ୍କ ମାନଙ୍କୁ ଅଲୋଡା ନ ଭାବି ସେମାନଙ୍କ ପ୍ରତି ସବୁ ବେଳେ ଏବଂ ସବୁ କ୍ଷେତ୍ରରେ ସମ୍ମାନ ଦେବା ଯାହାକି ଆମ ନିଜ ପାଇଁ ଆମ ପରିବାର ପାଇଁ ଏବଂ ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏହା ମଙ୍ଗଳମୟ ହେବ ବୋଲି କହିଥିଲେ ।
ସେହିଭଳି ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ ଯୋଗ ଦେଇ ବୟସ୍କ ନାଗରିକ ମାନଙ୍କ ଅବଦାନ ହିଁ ଏହି ଜାତି , ସମାଜ ଓ ଏହି ପରିବାର ଅତି ସରସ , ସୁନ୍ଦର ଓ ମଧୁମୟ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ । ଅନ୍ୟପକ୍ଷରେ ଦେଶରେ ଯେତେ ସବୁ ଉଦ୍ଭାବନ ଓ ଆବିଷ୍କାର ହେବା ସହ ସାହିତ୍ୟ , ଗୀତା , ପୋଥି , ପୁରାଣ ଯାହା କିଛି ସୃଷ୍ଟି ହୋଇଛି ସବୁଥିରେ ସେମାନଙ୍କ ହିଁ ଅବଦାନ ରହିଛି। ।
ତେଣୁ କରି କାର୍ଯ୍ୟକ୍ରମ ପାଳନ ଅବସରରେ ବିଶ୍ବବ୍ୟାପୀ ରହିଥିବା ବିଷୟ ଥିମ:- \” ସମ୍ମାନ ସହ ବାର୍ଦ୍ଧକ୍ୟ-ବିଶ୍ବବ୍ୟାପୀ ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଯତ୍ନ ଏବଂ ସହାୟତା ପ୍ରଣାଳୀକୁ ମଜବୁତ୍ କରିବାକୁ ଗୁରୁତ୍ବ\” ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର‌୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସିଡିଏମଓ: ଡ଼ାଃ ମୁବାରକ ଅଲ୍ଲୀ , ବରିଷ୍ଠ ନାଗରିକ ସଂଘର ସଭାପତି ଇଂ ଲକ୍ଷ୍ମୀ ନୃସିଂହ ରଥ , ଶିକ୍ଷାବିତ୍ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶିକ୍ଷାବିତ୍ ଶ୍ରୀ ବିଚିତ୍ରକ୍ଷ ନନ୍ଦ ବେବର୍ତ୍ତା ଏବଂ ସୁ ଲେଖିକା ଶ୍ରୀମତୀ ନିବେଦିତା ରଥ ପ୍ରମୁଖ ମଞ୍ଚାସିନ ରହି ପ୍ରସଙ୍ଗ ବିଷୟ ଭିତ୍ତିକ ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ୫ ଜଣ ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସେହିଭଳି ୧୧ ଜଣ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ରଇତ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କାରୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ରା:ଉଦୟଗିରି ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ଉଦୟ ଭାନୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଡ଼ାଃ ବିଜୟ କୁମାର ଦାସଙ୍କ ସମେତ ତାଙ୍କ ଟିମରେ ଫାର୍ମାସିଷ୍ଟ ଶ୍ରୀ ସୁମିତ କୁମାର ଗୌଡ ଏବଂ ସନ୍ଦୀପ କୁମାର ପ୍ରଧାନ , ଏଲ:ଟି ଶ୍ରୀ କରୁଣାକର ବେହେରା ଓ ଶ୍ରୀ ବିଘ୍ନକ୍ଷ ରାଓ ପ୍ରମୁଖ ବିଭିନ୍ନ ଚିକିତ୍ସା ପରୀକ୍ଷା ସେବାରେ ନିୟୋଜିତ ଥିଲେ ।
ସେହିଭଳି ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମଚାରୀ ଶ୍ରୀ ସୁମନ ମିଶ୍ର , ଶ୍ରୀ ରୀଙ୍କୁ ମହାରଣା , ଶ୍ରୀ ସେଶଗିରି ବେହେରା , ଗୌରବ ରବିନ ରଇତ ଏବଂ ୱାଇ: ଅନୁସା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.