Odisha News

୪ ନିଖୋଜଙ୍କ ମିଳିଲା ପତ୍ତା: ପରିତ୍ୟକ୍ତ କୂଅରୁ କାର୍ ସହ ୪ ମୃତଦେହ ଉଦ୍ଧାର

ଉମରକୋଟ,୧୨/୧୨: ଖଜୁରୀ ଗଛ ପୁଲିସକୁ ଦେଲା କ୍ଲୁ। ରାସ୍ତାକଡ଼ରେ ଅଧା ଭାଙ୍ଗି ପଡ଼ିଥିବା ଖଜୁରୀ ଗଛକୁ ଦେଖି ଖୋଜାଖୋଜି କରିବା ପରେ ମିଳିଲା ଛତିଶଗଡ଼ର କାଙ୍କେର ନିକଟରୁ ନିଖୋଜ ହୋଇଯାଇଥିବା ୪ ଜଣଙ୍କ ପତ୍ତା। ହେଲେ ମୃତାବସ୍ଥାରେ। ଏକ ପରିତ୍ୟକ୍ତ କୂଅରେ କାର ସହିତ ସେମାନେ ପଡ଼ି ଯାଇଥିଲେ। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲର ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି।
ଏହି ଚାରି ଜଣ ଛତିଶଗଡ଼ର କାଙ୍କେରକୁ ଏକ ବିବାହରେ ସାମିଲ ହେବା ପାଇଁ ଯାଇଥିଲେ। ଗତ ଶନିବାର ରାତିରେ ସେମାନେ କାର୍‌ରେ ସେଠାରୁ ଛତିଶଗଡ଼ର କୋଣ୍ଡାଗାଁକୁ ଫେରୁଥିଲେ। କୋଣ୍ଡାଗାଁରେ ସପନ ସରକାରଙ୍କ ଶାଳକଙ୍କ ଘର। ସେଠାରେ ସେଦିନ ସେମାନେ ରହି ରବିବାର ନବରଙ୍ଗପୁର ଅଭିମୁଖେ ଆସିଥା’ନ୍ତେ। ସପନ ସରକାର କାର୍ ଚଲାଉଥିଲେ। ସପନଙ୍କ ଗାଡ଼ି ପଛରେ ତାଙ୍କ ଅନ୍ୟ ସର୍ମ୍ପକୀୟମାନେ ୩ଟି ଗାଡ଼ିରେ ଆସୁଥିଲେ। ତେବେ ସମ୍ପର୍କୀୟମାନେ କୋଣ୍ଡାଗାଁରେ ପହଞ୍ଚିବା ପରେ ସପନ ଓ ତାଙ୍କ ସହିତ ଥିବା ଅନ୍ୟ ତିନି ଜଣଙ୍କୁ ପାଇନଥିଲେ। ତେଣୁ ସେମାନେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ତେବେ ସପନ ଓ ଅନ୍ୟ ୩ ଜଣଙ୍କ ଫୋନ୍ ସୁଇଚଅଫ୍ ଥିଲା। ପରେ ସମ୍ପର୍କୀୟମାନେ ସପନଙ୍କ ପରିବାରକୁ ଯୋଗଯୋଗ କରିଥିଲେ। ହେଲେ ସେମାନଙ୍କ ପାଖରେ ବି କିଛି ଖବର ନଥିଲା। ହଠାତ୍ ୪ ଜଣ ନିଖୋଜ ହୋଇଯିବାରୁ ସମସ୍ତେ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ପରେ ପରିବାର ଲୋକେ ସେମାନଙ୍କୁ ଅପହରଣ କରାଯାଇଥିବା କତୁଆଲି ଥାନାରେ ରବିବାର ଏତଲା ଦେଇଥିଲେ। ୨ ଦିନ ହେଲା ପୁଲିସ ସେମାନଙ୍କୁ ଖୋଜାଖୋଜି କରିଥିଲା। ହେଲେ ସେମାନଙ୍କର କୌଣସି ପତ୍ତା ମିଳି ନଥିଲା।ଚ୍ଚ
ଆଜି ସକାଳେ କାଙ୍କେର ନିକଟରେ ରାସ୍ତାକଡ଼ରେ ଥିବା ଏକ ଖଜୁରୀ ଗଛ ଭାଙ୍ଗି ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହା ଦେଖି ପୁଲିସ୍‌ର ସନ୍ଦେହ ହୋଇଥିଲା। ତେଣୁ ସେମାନେ ସେଠାରେ ଖୋଜାଖୋଜି କରିବା ପରେ ଖଜୁରୀ ଗଛ ନିକଟରେ ଏକ ଧାନ ବିଲରେ ଥିବା ପରିତ୍ୟକ୍ତ କୂଅରେ କାର୍‌ଟିଏ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଏହାସହ ଏକ ବ୍ୟାଗ୍‌ରେ ସପନଙ୍କ ଡ୍ରେସ ଓ ମେଡିସିନ୍ ମିଳିଥିଲା। ପରେ କ୍ରେନ୍ ସାହାଯ୍ୟରେ ପୁଲିସ୍ କାର୍‌ଟିକୁ କୂଅରୁ ବାହାର କରିଥିଲା। କାର୍ ଭିତରୁ ସପନ ସରକାର ଓ ଅନ୍ୟ ତିନି ଜଣଙ୍କ ମୃତଦେହ ମିଳିଥିଲା।
ସପନଙ୍କ କାର୍‌କୁ କୌଣସି ଭାରିଯାନ ଧକ୍କା ଦେବା ଯୋଗୁ ତାହା ଖଜୁରୀ ଗଛରେ ପିଟି ହୋଇ ପରିତ୍ୟକ୍ତ କୂଅରେ ପଶିଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳ ନିକଟରେ ଏକ ପେଟ୍ରୋଲ ଟାଙ୍କି ଅଛି। ସେଠାରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ସପନଙ୍କ ଗାଡ଼ିକୁ କୌଣସି ଭାରିଯାନ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା ନା ଆଉ କିଛି କାରଣ ରହିଛି, ତାର ତଦନ୍ତ କରୁଛି ପୁଲିସ୍।

Related Posts

Seo wordpress plugin by www.seowizard.org.