Odisha News

ରାଜ୍ୟ ରାଜନୀତିରେ ପରିବର୍ତନର ବିଗୁଲ୍ ଭୁବନେଶ୍ୱରରୁ ବାଜିବ: ବାବୁ ସିଂ

ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ରାଜ୍ୟରେ ଭ୍ରଷ୍ଟାଚାର ସରକାରକୁ ହଟାଇବା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ସଠିକ୍ ଭାବେ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାର ନିଷ୍ପତି
ରାଜ୍ୟ ସରକାର ଏବଂ ବିଏମସିର ଜନବିରୋଧୀ କାର୍ଯ୍ୟ ବିରୋଧରେ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତୀବ୍ର କରାଯିବ
ଭୁବନେଶ୍ୱର, ୨୯/୧: ଶାସନ ଦାୟିତ୍ୱରେ ଥିବା ବିଜେଡି ସରକାରଙ୍କ ଜନବିରୋଧୀ ମନଭାବ, ଦୁର୍ନୀତି ଓ ଅପରାଧ ମନବୃତି ଯୋଗୁଁ ଓଡ଼ିଶା ଆଜି ପଛୁଆ । ଦୀର୍ଘ ୨୩ବର୍ଷ ଧରି କ୍ଷମତାରେ ଥିବା ଅପାରଗ ନେତୃତ୍ୱର ସ୍ଥାଣୁ ସରକାରରେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ସମେତ ସମଗ୍ର ରାଜ୍ୟବାସୀ ଆଜି ଉପେକ୍ଷିତ ହୋଇ ରହିଯାଇଛନ୍ତି । ଭାରତୀୟ ଜନତା ପାର୍ଟୀ ସରକାରରେ ଭୁବନେଶ୍ୱର ଜିଲ୍ଲାର ସର୍ବାଙ୍ଗିନ ବିକାଶ ସମ୍ଭବ ହୋଇପାରିବ । ରାଜ୍ୟ ରାଜନୀତିରେ ପରିବର୍ତନର ବିଗୁଲ୍ ଭୁବନେଶ୍ୱରରୁ ବାଜିବ ଏବଂ ରାଜ୍ୟରେ ବିଜେପି ସରକାର ଅବସ୍ଥାପିତ ହେବ । ଶନିବାର ଦିନ ଅନୁଷ୍ଠିତ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ।
ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ରାଜ୍ୟରେ ଭ୍ରଷ୍ଟାଚାର ସରକାରକୁ ହଟାଇବା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ସଠିକ୍ ଭାବେ ସାଧାରଣ ଲୋକଙ୍କ ପାଖକୁ ପହଂଚାଇବାର ନିଷ୍ପତି ନିଆଯାଇଛି । ସେହିପରି ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ଲାଗି ବିଭିନ୍ନ ମୋର୍ଚ୍ଚାକୁ ଆହୁରି ଅଧିକ କ୍ରିୟାଶୀଳ କରାଇବା ପାଇଁ ନିଷ୍ପତି ନିଆଯାଇଛି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରାଯାଇ ଦଳୀୟ ଆଧାରରେ ଅଯୋଗ୍ୟଙ୍କୁ ପକ୍କାଘର ବଂଟନ କାରଣରୁ ଆଜି ପ୍ରକୃତ ଯୋଗ୍ୟ ଲୋକ ଘର ନପାଇ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ବିଜେଡି ସରକାରଙ୍କ ଏଭଳି ଜନବିରୋଧୀ କାର୍ଯ୍ୟ ଓ ମାନସିକତାକୁ କାର୍ଯ୍ୟକାରଣୀ ଘୋର ନିନ୍ଦା କରିବା ସହିତ ଏଭଳି ହୀନ ଚକ୍ରାନ୍ତ ବିରୁଦ୍ଧରେ ଆନ୍ଦୋଳନ କରିବାର ନିଷ୍ପତି ନିଆଯାଇଛି । ସେହିପରି ବିଏମସି ଓ ବିଡିଏରେ ବ୍ୟାପକ ଦୁର୍ନୀତି, ମୁକୁଳା ଡ୍ରେନେଜ ଓ ସ୍ୱେରେଜ ସମସ୍ୟା, ମଶା ଉପଦ୍ରବ ଓ ଡେଙ୍ଗୁ ରୋଗ, ସ୍ମାର୍ଟ ସିଟି ଯୋଜନାର ଅର୍ଥକୁ ଶ୍ରାଦ୍ଧ କରିବା, ଅମୃତ ଯୋଜନାର ଟଙ୍କାକୁ ହଡପ୍ କରିବା, ଥଇଥାନ ନକରି ଉଠା ଦେକାନୀଙ୍କ ପେଟରେ ଲାତ ମାରିବା, ରାସ୍ତାଘାଟ ସମସ୍ୟା, ବିପର୍ଯ୍ୟସ୍ତ ପରିମଳ ସମସ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅସୁରକ୍ଷିତ ମହିଳା ଓ ଶିଶୁ, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ, ବସ୍ତିବାସିନ୍ଦାଙ୍କ ସମସ୍ୟାର ଅଣଦେଖା ଭଳି ଅନେକ ସମସ୍ୟା ଘେରରେ ଥିବା ରାଜଧାନୀବାସୀଙ୍କ ଦୁଃଖ ଦୁର୍ଦଶାକୁ କାର୍ଯ୍ୟକାରିଣୀ ଦୃଢ ନିନ୍ଦା କରିଛି ।
କେନ୍ଦ୍ରୀୟ ଯୋଜନାକୁ ଜାଲିଆତି କରି ଶହ ଶହ କୋଟି ଟଙ୍କା ହଡପ୍ କରିଛି ବିଜେଡି ସରକାର । ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ କେନ୍ଦ୍ର ଦେଉଥିବା ଟଙ୍କାକୁ ମହିଳାମାନଙ୍କ ପାଖରେ ନପହଂଚାଇବା, ମୋ ସାଇକେଲ ଦୁର୍ନୀତି, ବର୍ଷା ପାଣି ସଂରକ୍ଷଣରେ ବ୍ୟାପକ ଚଂଚକତା, ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ ଏବଂ ଅନିୟମିତତା, ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ପ୍ରତାରଣା, ଶୁଦ୍ଧ ପାନୀୟ ଜଳ ଯୋଗାଇବା ନାମରେ ହର୍ ଘର୍ ନଲ୍ ପେ ଜଲ୍ କେନ୍ଦ୍ରୀୟ ଯୋଜନାରେ ଚଂଚକତା ଓ ଅର୍ଥ ଲୁଟ୍ ଭଳି ଅନେକ ଜନବିରୋଧୀ କାର୍ଯ୍ୟ ବିରୋଧରେ ଜିଲ୍ଲା ବିଜେପି ତରଫରୁ ବ୍ୟାପକ ଆନ୍ଦୋଳନ ଆରମ୍ଭ ହୋଇସାରିଛି ଏବଂ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତୀବ୍ର କରାଯିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି ।
ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ସମସ୍ତ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମଣ୍ଡଳ ସଭାପତି, ବିଭିନ୍ନ ମୋର୍ଚ୍ଚାର ସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟନମାନେ ଉପସ୍ଥିତ ଥିଲେ । ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପ୍ରଭଞ୍ଜନ ମହାପାତ୍ର ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହି କାର୍ଯ୍ୟକାରିଣୀକୁ ମାର୍ଗଦର୍ଶନ କରିଥିଲେ । ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ରାଜନୈତିକ ଚିଠା ଆଗତ କରିଥିବାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ସାଂଗଠନିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।
ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା ଜିଲ୍ଲାର ସାଂଗଠନିକ କାର୍ଯ୍ୟ ଏବଂ ଦଳୀୟ ଶୃଙ୍ଖଳା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ଦିଲୀପ ବେହେରା ଅତିଥି ପରିଚୟ କରିଥିବାବେଳେ ଅନ୍ୟତମ ସାଧାରଣ ସଂପାଦକ ହିମାଂଶୁ ଛୋଟରାୟ ଏବଂ ଜିଲ୍ଲା ଉପସଭାପତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Related Posts

Seo wordpress plugin by www.seowizard.org.