Odisha News

ବିଜେଡିର ବଡ଼ ଘୋଷଣା, NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦେବ ସମର୍ଥନ

ଭୁବନେଶ୍ବର, ୨୨/୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ନିକଟତର ହୋଇ ଆସୁଥିବା ବେଳେ ମଙ୍ଗଳବାର ରାତିରେ NDA ନିଜର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମା ଘୋଷଣା କରିଥିଲା।
NDA ପକ୍ଷରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ।
ଏହି ଘୋଷଣା ସାରା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏବେ ଟ୍ବିଟ କରି ମୁର୍ମୁଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଅପିଲ କରୁଛି ଯେ, ଦଳମତ ନିର୍ବିଶେଷରେ ସମସ୍ତେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ କରିବା ପାଇଁ ସର୍ବସମ୍ମତି କ୍ରମେ ସମର୍ଥନ କରନ୍ତୁ।
ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଇଟାଲି ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୁଭେଚ୍ଛା ଜଣାଇଥିଲେ।
ନବୀନ ଟୁଇଟ୍ କରିଥିଲେ ଯେ ଦେଶର ସର୍ବୋଚ୍ଚ ପଦବୀ ପାଇଁ NDA ର ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପ୍ରସ୍ତାବ ନେଇ ମୋ ସହ ଆଲୋଚନା କରିଥିଲେ ମୁଁ ବହୁତ ଖୁସି ହୋଇଥିଲି।
ବାସ୍ତବରେ ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ଦେଶରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଶ୍ରୀମତୀ ମୁର୍ମୁ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ମୁଁ ନିଶ୍ଚିତ।

Related Posts

Seo wordpress plugin by www.seowizard.org.