Odisha News

ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି, ବିଜେପି,କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୧୭/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡି,ବିଜେପି ଓ କଂଗ୍ରେସ ସମେତ ୧୧ ଜଣ ପ୍ରର୍ଥୀ । ନାମାଙ୍କନ ଭରିବାର ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସାଥିରେ ଆସି ନାମାଙ୍କନ ପତ୍ର ଭରିଛନ୍ତି ।
ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ଓଡ଼ିଶା ଜନତା ପାର୍ଟି (ଓଜେପି) ତରଫରୁ ମୁକ୍ତେଶ୍ବର ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉପନିର୍ବାଚନ ପାଇଁ ଜୟନ୍ତ ଥପା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ ଓ ବିଦ୍ୟାଧର ପାଣ୍ଡେ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିଛନ୍ତି। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥିଲେ।
ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ବିଜେଡିରୁ ବର୍ଷାରାଣୀ ସିଂ ବରିହା ଆଜି ନାମାଙ୍କନ ପତ୍ର ଭରିଥିଲେ। ଏହି ସମୟରେ ତାଙ୍କ ସହିତ ବିଜେଡି ନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର‌୍ୟ୍ୟ ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ। ନାମାଙ୍କନ ପୂର୍ବରୁ ବୁଢ଼ା ରାଜାଙ୍କ ଆର୍ଶୀବାଦ ନେଇଥିଲେ ବର୍ଷା ସିଂ ବରିହା। ସେପଟେ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଭରିବାକୁ ଯାଇଥିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ। ତାଙ୍କ ସାଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।
ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ଆଜି (୧୭ ତାରିଖ ପର‌୍ୟ୍ୟନ୍ତ) ମନୋନୟନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି। ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର‌୍ୟ୍ୟନ୍ତ ଭୋଟଦାନ କରାଯିବ। ଡିସେମ୍ବର ୧୦ ତାରିଖରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ।

Related Posts

Seo wordpress plugin by www.seowizard.org.