Odisha News

ଗଜପତି: ଜିଲ୍ଲାସ୍ତରୀୟ ବିଶ୍ଵ ନାଟ୍ୟ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୩: ପାରଳାଖେମୁଣ୍ଡି ସ୍ଥିତ ସମାଜ ସେବକ ସଂଘ କବିଚନ୍ଦ୍ର ପାଠାଗାର ପରିସରରେ ଜିଲ୍ଲାସ୍ତରୀୟ ବିଶ୍ଵ ନାଟ୍ୟ ଦିବସ ପାଳନ ଅବସରରେ ନାଟୁଆ ମେଳା କାର୍ଯ୍ୟକ୍ରମ ଅଗ୍ରଣୀ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ପ୍ରଗତିଶୀଳ ନାଟ୍ୟ ସଂସ୍ଥା “ତରଙ୍ଗ ରଙ୍ଗ” ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଞ୍ଚ କଳାକାର ମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟ ରେ କ୍ରିଏଟିଭ ଆର୍ଟସ୍ ଓ ତରଙ୍ଗ ରଙ୍ଗ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ସହର ମଧ୍ୟରେ ଖାଲି ଥିବା ସ୍ଥାନରେ ଏକ ସ୍ଥାୟୀ ରଙ୍ଗମଂଚ ବା ସଂସ୍କୃତି ଭବନ ନିର୍ମାଣ ପାଇଁ ଏକ ଦାବୀପତ୍ର , ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ନିକଟ ରେ ପ୍ରଦାନ କରା ଯାଇଥିଲା ।
ନାଟ୍ୟ ଦିବସ ଅବସରରେ ଓଡ଼ିଶାର ପ୍ରଥମ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଛାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ପାଇଁ କବିଚନ୍ଦ୍ର ସାହି ଛକ ଠାରେ ସ୍ଥାନୀୟ କାଉନସିଲର ବାଳକୃଷ୍ଣ ପାତ୍ର\’ଙ୍କ ଦ୍ଵାରା ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ କବିଚନ୍ଦ୍ର ପାଠାଗାର ଠାରେ ନାଟ୍ୟ ଆଲୋଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।
ଅନୁଷ୍ଠାନ ର ସଭାପତି ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ନିର୍ମଳା ସେଠୀ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ ଅଜୟ ତ୍ରିପାଠୀ , କ୍ରିଏଟିଭ ଆର୍ଟସ୍ ସଭାପତି ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ଓଡ଼ିଆ ଭାଷାକୁ ତଥା ଓଡ଼ିଶାକୁ ପାରଳା ମାଟି ହିଁ ପ୍ରଥମ ରଙ୍ଗମଂଚ ଓ ପ୍ରଥମ ନାଟକ ଦେଇଛି , ପାରଳାର କବିଚନ୍ଦ୍ର ରଘୁନାଥ ପରିଛା ହିଁ ଓଡ଼ିଶାର ପ୍ରଥମ ନାଟ୍ୟକାର ବୋଲି ବିଭିନ୍ନ ପୁସ୍ତକ ରେ ଲେଖା ହୋଇଛି ତେଣୁ ଦକ୍ଷିଣ ଓଡ଼ିଶାର ଏହି ଗୌରବକୁ କେହି କେବେ ଭ୍ରମିତ କରିପାରିବେ ନାହିଁ ବୋଲି ମଞ୍ଚାସିନ ଅତିଥି ମାନେ ମତ ଉପସ୍ଥାପନା କରିଥିଲେ ।
ଆଲୋଚନା ପରେ ଶିଶୁ କଳାକାର ମାନେ ଅଭିନୟ ସହ ନୃତ୍ୟ ପରିବେଷଣ କରିଥିଲେ ଶେଷରେ ସେମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ମଂଚ ଅଭିନେତା ଆଦର୍ଶ ଦାସ ବିଶ୍ବ ନାଟ୍ୟ ବାର୍ତ୍ତା ପାଠ କରିଥିବା ବେଳେ ମନୋଜ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଶ୍ରୀ ଏମ.ପୃଥିବୀ ରାଜ , ଶ୍ରୀ ହରିହର ପଟନାୟକ , ଶ୍ରୀ ଜ୍ଞାନ ରଞ୍ଜନ ଦାସ , ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀ , ମାତଙ୍ଗିନି ଗୁରୁ , ମାହାପ୍ରୁ ଶ୍ରୀ କାମଦେବ ପାଢୀ , ଶ୍ରୀ ସୁଜିତ୍ ପାଣିଗ୍ରାହୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.