Odisha News

ଗଜପତି: ଇଟାଲି ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୧୧: ମଙ୍ଗଳବାର ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁ ପୁତ୍ରକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ।
ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼-ଲାଇନ୍ ଉଦ୍ଧାର କରି “ଡ଼େ-ଷ୍ଟାର୍” ହୋମ୍ , ଜରଉ , ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା ।
ପୁଅଟିର ପିତାଙ୍କ ମୃତ୍ୟୁ ପରେ ମାଆ ଅନ୍ୟତ୍ର ବାହା ହୋଇ ଛାଡ଼ି ଚାଲି ଯାଇଥିଲେ । ଶିଶୁଟି ଉଦ୍ଧାର ହେଲା ପରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ହସ୍ତକ୍ଷେପ ପରେ ମାଆ ଶିଶୁ ମଙ୍ଗଳ ସମିତି , ଗଜପତି ଆଗରେ ସମର୍ପିତ କରିଥିଲେ ।
ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି , ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ଚାରିବର୍ଷ ହେଲା ଘୋଷଣା କରିଥିଲେ । ପରବର୍ତ୍ତି ସମୟରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମ୍ , ପାରଳାଖେମୁଣ୍ଡି ମାଧ୍ୟମରେ ପୁଅଟିକୁ ପୋଷ୍ୟ ସନ୍ତାନ ନିମନ୍ତେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର\”ର ପୋର୍ଟାଲରେ ଅପଲୋଡ଼ କରା ଯାଇଥିଲା ।
ଯାହାଦ୍ବାରା , ଶିଶୁଟି ପୋଷ୍ୟ ଭାବେ ଯେ କୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆ ଯାଇଥିଲା ।
ପରବର୍ତ୍ତି ମୁହୁର୍ତ୍ତରେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀୟ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ ।
ଉପରୋକ୍ତ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବା ପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ ।
ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଏବଂ ମାନ୍ୟବର କୋର୍ଟ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରି ଦିଆ ଯାଇଥିଲା ।
ଏହି ଶିଶୁଟି , ପୁତ୍ର ସନ୍ତାନ ହୋଇଥିଲା ବେଳେ ଏହାର ବୟସ ବର୍ତ୍ତମାନ ମାତ୍ର ପ୍ରାୟ ୧୨ ବର୍ଷ ହୋଇଛି । ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରା ଯାଇଥିଲା ।
ସାମ୍ବାଦିକ ମାନେ ଦମ୍ପତ୍ତିଙ୍କୁ ଯେତେ ବେଳେ ପଚାରିଲେ ଯେ ଆପଣ ଭାରତରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ର ସମ୍ପର୍କରେ କଣ କହିବେ ପ୍ରଶ୍ନର ଉତ୍ତରରେ ଦମ୍ପତ୍ତି କହିଥିଲେ ଯେ , ଭାରତ ଗୋଟିଏ ସୁନ୍ଦର ଦେଶ ଏବଂ ଭାରତର ସଂସ୍କୃତି ଓ ପରମ୍ପରା ଆମକୁ ବହୁତ ଭଲଲାଗେ । ଦମ୍ପତ୍ତିଙ୍କ ସହ ଆଫା ପୌଷ୍ୟ ଗ୍ରହଣ କେନ୍ଦ୍ର, ନୂଆ ଦିଲ୍ଲୀରୁ ଆସିଥିବା ଶ୍ରୀ ହସମୁଖ୍ ଠକ୍କର ଉପସ୍ଥିତ ଥିଲେ , ଯିଏକି ଆଫା ତରଫରୁ ଇଟାଲିକୁ ପ୍ରତିନିଧିତ୍ଵ କରୁଛନ୍ତି ।
ଶିଶୁ ପୁତ୍ର ସନ୍ତାନ ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରୀପାଠୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଡ଼େ-ଷ୍ଟାର ହୋମ୍ , ଜରାଉର କର୍ମକର୍ତ୍ତା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ଥ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.