Odisha News

କନ୍ଧମାଳର କୁଇକବି ପ୍ରଦୀପ କହଁରଙ୍କୁ ଭୁବନେଶ୍ଵରରେ ଆଦିବାସୀ ପ୍ରତିଭା ସମ୍ମାନ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୩/୩:ଭୁବନେଶ୍ଵର ସ୍ଥିତ ଆଦିବାସୀ ପଡିଆ ୟୁନିଟ୍-୧ରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଆଦିବାସୀ ମେଳା-୨୦୨୩ ଶେଷ ସନ୍ଧ୍ୟାରେ ଜନଜାତି ସାହିତ୍ୟ କୃତି ପାଇଁ କନ୍ଧମାଳର କୁଇକବି ପ୍ରଦୀପ କହଁର ଙ୍କୁ ‘ଆଦିବାସୀ ପ୍ରତିଭା ସମ୍ମାନ-୨୦୨୩’ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ପୁରସ୍କାର ପାଇବାରେ ପ୍ରଦୀପ କହଁର ହେଉଛନ୍ତି କନ୍ଧମାଳର ପ୍ରଥମ ବ୍ୟକ୍ତି।ପ୍ରଦୀପ କହଁର କବିତା, ପ୍ରବନ୍ଧ, ଗଳ୍ପ, କ୍ଷୁଦ୍ର ନାଟକ, ବ୍ୟଙ୍ଗ, ଶିଶୁ କବିତା, ଶିଶୁ ଗଳ୍ପ, ଢଗଢମାଳି, ଭଜନ, ଜଣାଣ ରଚନା କରିଛନ୍ତି।
ଏଥିସହ ଆଦିବାସୀ କୁଇକବି ନିଜସ୍ଵ ମାତୃଭାଷା କୁଇଭାଷା ସାହିତ୍ୟରେ ମଧ୍ୟ କୁଇ କବିତା, କୁଇ ପ୍ରବନ୍ଧ, କୁଇ ଗଳ୍ପ, କୁଇ ନାଟକ, କୁଇ ଢଗଢମାଳି, କୁଇ ଗୀତ, କୁଇ ଭଜନ, ଜଣାଣ, କନ୍ଧ ପୂଜା ପଦ୍ଧତି, କନ୍ଧ ସଂସ୍କୃତି ଓ କନ୍ଧବଂଶୀୟ ଗବେଷଣାତ୍ମକ ଲେଖା ଲେଖିବା ସହିତ ଜଣେ ବାଦ୍ୟକାର, ଗୀତିକାର, ମଞ୍ଚ କଳାକାର, କୁଇଭାଷା ଅନୁବାଦକ ଓ କୁଇ ସଂସ୍କୃତି ଗବେଷକ ଭାବେ ପରିଚିତ ।
୧୯୯୪ରୁ ଲେଖି ଆସୁଥିବା ହଜାର ହଜାର ଲେଖା ମଧ୍ୟରୁ ପ୍ରକାଶିତ ଚିତ୍ରପଟ୍ଟ, ପକ୍ଷୀ, ସ୍ମୃତିତୀର୍ଥ କବିତା ସଂକଳନ ପାଠକ ଆଦୃତି ଲାଭ କରି ସାରିଛି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ପ୍ରାପ୍ତ ହୋଇଥିବା ପୁରସ୍କାର, ସାଲ୍ ଖାନ ହେମ୍ବ୍ରମ୍ ସ୍ମୃତି ସମ୍ମାନ-୨୦୧୮, କନ୍ଧମାଳ ସାରସ୍ୱତ ପ୍ରତିଭା ସମ୍ମାନ-୨୦୧୯, କୁସୁମ ଭାଷା ସାହିତ୍ୟ ସଂସ୍କୃତି ସମ୍ମାନ-୨୦୧୯, ଲୋକକବି ଉପାଧି-୨୦୧୯, ଆମରି ସ୍ରଷ୍ଟା ସମ୍ମାନ-୨୦୨୦, କବି ମଞ୍ଜୁଳ ସ୍ମୃତି ସମ୍ମାନ-୨୦୨୦, ସାରସ୍ୱତ ପ୍ରତିଭା ସମ୍ମାନ-୨୦୨୦, କବିକୁଳ ସମ୍ମାନ-୨୦୨୦, ଜନଜାତୀୟ ଗୌରବ ଦିବସ ସମ୍ମାନ-୨୦୨୨, ଭୀମ ଭୋଇ ପ୍ରତିଭା ସମ୍ମାନ-୨୦୨୩, କେନ୍ଦ୍ର ସାହିତ୍ୟ ଏକାଡେମୀ -୨୦୧୯, କେନ୍ଦ୍ର ସାହିତ୍ୟ ଏକାଡେମୀ- ୨୦୨୨ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରମାଣ ପତ୍ର -୨୦୨୨ ଦ୍ଵାରା ପୁରସ୍କୃତ ଏବଂ ବହୁ ଅନୁଷ୍ଠାନ ଦ୍ୱାରା ସମ୍ମାନୀତ, ସମ୍ବର୍ଦ୍ଧିତ ପ୍ରଶସ୍ତି ପତ୍ର ରହିଛି।
ଏହି ସମ୍ମାନ ପାଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ଓ କନ୍ଧମାଳର ଗର୍ବ ଓ ଗୌରବ ହୋଇ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀ କୁ ସ୍ବାମୀର ମରଣାନ୍ତକ ଆକ୍ରମଣ
ବାଲିଗୁଡ଼ା,୩/୩: ପାରିବାରିକ କଳହର କରୁଣ ପରିଣତି । ଅମାନୁଷିକ ଭାବେ ସ୍ତ୍ରୀ କୁ ସ୍ବାମୀ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କାମ୍ପଡ଼ା ଗ୍ରାମରେ ଘଟିଥିବା ଜଣାପଡ଼ିଛି ।
ଘଟଣା ପ୍ରକାରେ କାମ୍ପଡ଼ା ଗ୍ରାମର ବିରୁପାକ୍ଷ ଦିଗାଲ ନାମକ ଜଣେ ବ୍ୟକ୍ତି ଅଧିକାଂଶ ସମୟରେ ମଦ ପିଇ ସ୍ତ୍ରୀ ଅନିତା ଦିଗାଲକୁ ମାରପିଟ୍ କରୁଥିବା ବେଳେ ଗୁରୁବାର ଘରେ ସ୍ତ୍ରୀ ଓ ୧୩ ବର୍ଷର ପୁଅ ଶୋଇଥିବା ବେଳେ ପୁଣି ଅନିତାକୁ ଅମାନୁଷିକ ଭାବେ ମାଡ଼ ମାରିବା ପରେ ଏକ କଇଁଚି ଦ୍ବାରା ସ୍ତ୍ରୀର ଚୁଟି କାଟିବା ସହ ଅନିତାର ଓଠକୁ କାଟି ଦେଇଥିଲା ।
ପୁଅ ମୁନାକାନ୍ତ ଚେଷ୍ଟା କରିଥିଲେ ମଧ୍ୟ ମା କୁ ବାପା କବଳରୁ ରକ୍ଷା କରିପାରିଥିଲା । ଫଳରେ ଅନିତା ସେଠାରେ ବେହୋସ୍ ହୋଇ ପଡ଼ିଯାଇଥିଲେ । ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ଏ ସମ୍ପର୍କରେ ଖବରପାଇ ଅନିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା କହିଛନ୍ତି ଅନିତାଙ୍କ ଝିଅ ଓ ଭାଇ ସେପଟେ ଏନେଇ ଅନିତା ନିଜ ସ୍ବାମୀ ବିରୋଧରେ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ରାଜ୍ୟ ବିଜେଡି ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜେଡିର କର୍ମକର୍ତ୍ତାଙ୍କ ନାମ ଘୋଷଣା
କନ୍ଧମାଳ,୩/୩: ରାଜ୍ୟ ସଂଗଠନ ପକ୍ଷରୁ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ବାରା ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ ପୁରୁଖା ନେତା ସରୋଜ କର୍ଣ୍ଣ ଚତୁର୍ଥ ଥର ପାଇଁ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଛନ୍ତି।
ସୂଚନାଯୋଗ୍ୟ, ଛାତ୍ର ଜୀବନରୁ ଅଣ କଂଗ୍ରେସ ରାଜନୀତି ସହିତ ସଂପୃକ୍ତ ଥିବା ଶ୍ରୀ କର୍ଣ୍ଣ ୨୦୧୩ ମସିହାରେ ପ୍ରଥମ ଥର ପାଇଁ ବିଜେଡି ର ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିଲେ। ସେବେଠାରୁ ସେ କ୍ରମାଗତ ଭାବେ ଏହି ପଦବୀରେ ରହି ଆସିଛନ୍ତି। ଦଳ ପକ୍ଷରୁ ଆଜି ଘୋଷିତ ତାଲିକା ଅନୁସାରେ, କ୍ଳେଶ ପ୍ରଧାନ, ଲାଲନନ୍ଦ ପ୍ରଧାନ,ଭୂଷଣ ପ୍ରଧାନ, କୃଷ୍ନ ମୋହନ ପଣ୍ଡା, ହୃଷିକେଶ ପାଢ଼ୀ ,ବୈନେତ୍ରୀ କହଁର ଓ ଧର୍ମେନ୍ଦ୍ର ପ୍ରଧାନ ଉପସଭାପତି ଭାବେ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ୧୭ ଜଣ, ସମ୍ପାଦକ ଭାବେ ୧୯ ଜଣ, ସହ ସମ୍ପାଦକ ଭାବେ ୧୫ ଜଣ ମନୋନୀତ ହୋଇଛନ୍ତି।
ସେହିଭଳି ଡିଜିଟାଲ ମିଡିଆ ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ପାଢୀଙ୍କୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ବ୍ଲକ, ପୌର ପରିଷଦ ପାଇଁ ମଧ୍ୟ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।
ନୂତନ କର୍ମକର୍ତ୍ତା ମାନେ ଏହି ନିଯୁକ୍ତି ପାଇଁ ମୂଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ୨ ସମେତ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ପର‌୍ୟ୍ୟବେକ୍ଷକ ବିଜୟ ନାୟକ, ସମସ୍ତ ତିନଜଣ ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
କନ୍ଧମାଳ କୁଇ ସମାଜ ସେବା ସମିତି କର୍ମକର୍ତ୍ତା ମାନେ ଜଙ୍ଗଲରେ ନିଆଁ ଲିଭାଇଲେ
କନ୍ଧମାଳ,୩/୩:କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ କେନ୍ଦ୍ର କର୍ମ କର୍ତ୍ତା ମୁଖ୍ୟ ସଭ୍ୟ ଗୈାତମ ପ୍ରଧାନ, ସମ୍ପାଦକ ଅବନୀ କୁମାର କହଁର, ସହସମ୍ପାଦକ ଅଚ୍ୟୁତ ଯାନୀ, କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ସାଂସ୍କୃତିକ ଉପଦେଷ୍ଟା ବିରେନ୍ଦ୍ର କୁମାର କହଁର ଗୋଛାପଡା ଶାଖା କୁଇ ସମାଜ ସେବା ସମିତିର ବାର୍ଷିକ ଅଧିବେଶନରେ ଯୋଗ ଦେବା ପାଇଁ ଯାଉଥିବା ସମୟରେ ଫୁଲବାଣୀ ବ୍ଲକ କଟ୍ରିଗିଂଆ ଘାଟି ରାସ୍ତା ପାଖ ଜଗଂଲରେ ଲାଗିଥିବା ନିଆଁ କୁ ଦେଖିବା ପରେ ସେଠାରେ ଅଟକି ନିଆଁ ଲିଭାଇବା କାର୍ଯ୍ୟ କରିଥିଲେ।
କୁଇ ସମାଜ ସେବା ସମିତି ଫୁଲବାଣୀ ତରଫରୁ ନିବେଦନ ଜଗଂଲକୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ପରିବେଶକୁ ସୁରକ୍ଷା ଦେବା ସହ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଲୋକଙ୍କୁ ସଚେତନର ବାର୍ତ୍ତା ଦେଇଥିବା ଦେଖାଯାଇଛି।
ମ୍ୟାଲେରିଆ ନିରାକରଣ ସଚେତନତା ତାଲିମ୍ କାର୍ଯ୍ୟକ୍ରମ
କନ୍ଧମାଳ,୩/୩: ସଂପ୍ରତି କନ୍ଧମାଳ ଜିଲ୍ଲା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ହୋଇଥିବା ବେଳେ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଭେକ୍ଟର ବର୍ଣ୍ଣ ଡିଜିଜ୍ କଂଟ୍ରୋଲ କାର୍ଯ୍ୟକ୍ରମ ମାଧ୍ୟମରେ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ସହଯୋଗରେ କିଛି ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅଂଚଳର ଅପହଂଚ ଇଲାକାରେ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ଆରମ୍ଭ ହୋଇଯାଇଛି।
ଏଥି ନିମନ୍ତେ ସମସ୍ତ ୧୫ ଜଣ ସ୍ୱେଚ୍ଛାସେବୀ ଓ ୨ଜଣ ସୁପର୍ଭାଇଜରଙ୍କୁ ନେଇ ଏକ ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ବାଲନ୍ଦାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ହରିଶଙ୍କର ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ କାର‌୍ୟ୍ୟକ୍ରମରେ କୁମୁଦ ଚନ୍ଦ୍ର ସାହୁ ଓ ସନତ କୁମାର ମହାପାତ୍ର ଯୋଗଦେଇ ତାଲିମ୍ ପ୍ରଦାନ କରିଥିଲେ।
ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ପରିଚିତ ରାଈଗୁଡା, ସଲାଗୁଡା, କ୍ରାଣ୍ଡିବାଲି, ପାହିରାଜୁ, ସାଡିଙ୍ଗିଆ, ଜାଜେସପାଙ୍ଗା ଇତ୍ୟାଦି ପଂଚାୟତ ଗୁଡିକରେ ସଂକ୍ରମଣ ରୋକିବା ପାଇଁ ଆଶା କର୍ମୀମାନେ କାର୍ଯ୍ୟ କରି ଆସୁଥିଲେ \’ବି\’ ପଜିଟିଭ୍ ଚିହ୍ନଟ ହୋଇଥିବା ମ୍ୟାଲେରିଆ ରୋଗୀଙ୍କର ସଂପୂର୍ଣ୍ଣ ମାତ୍ରାର ଔଷଧ ସେବନ, ଗର୍ଭବତୀ ଓ ପ୍ରସୁତି ମା ମାନେ କିପରି ମଶାରୀ ବ୍ୟବହାର କରିବେ ଓ ଅଧିକ ମାତ୍ରାରେ ସ୍କ୍ରିନିଂ କରି ରୋଗୀ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ପାରିବ ସେ ଉପରେ ଅଧିକ ଗୁରୁୂତ୍ୱ ଦିଆଯାଇଥିବା ସଂଯୋଜକ ବିଶ୍ୱରଞ୍ଜନ କର କହିଥିଲେ। କାର୍ଯ୍ୟକ୍ରମରେ ଆଲୋକ ସାମନ୍ତରାୟ, ସୌରଭ ପଣ୍ଡା, ସୀତା ରଣା, ପ୍ରଭାତ ନାୟକ, ଗରୁଡ ଦିଗାଲ, ବିନ୍ଧ୍ୟାରାଣୀ ପ୍ରଧାନ, ସାମନ୍ତି ଦିଗାଲ, ଅନୁପମା କହଁର, ଆନିଶି, ମାନସ ପ୍ରଧାନ, ପ୍ରଦୀପ କୁମାର, ଗରୁଣ ଦିଗାଲ ଓ ମାନିନୀ ସ୍ୱେଚ୍ଛାସେବୀ ଭାବରେ ତାଲିମ୍ରେ ଯୋଗ ଦେଇଥିବା ବେଳେ କାର‌୍ୟ୍ୟକ୍ରମରେ ତାଲିମ୍ ପ୍ରାପ୍ତ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।
୧୬ବର୍ଷ ର ସଂଘର୍ଷ :- ବିଧବାରୁ ବୃଦ୍ଧା ହେଲେ, ହେଲେ ମିଳିଲାନି ସହାୟତା: ସରକାରୀ ସାହାଯ୍ୟ ପାଇଁ ଦାବୀ
ବାଲିଗୁଡା,୩/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତ ଢୁସାରି ଗ୍ରାମର ବିଧବା ବସ୍ତିନା ବଳିଆରସିଂ ଗତ ୧୬ ବର୍ଷ ହେଲା ଭତ୍ତା ପାଇଁ ସଂଘର୍ଷ କରି ଚାଲିଛନ୍ତି। ବର୍ଷ ବର୍ଷ ଧରି ଆବେଦନ ନିବେଦନ କରୁଥିଲେ ହେଁ, ପ୍ରଶାସନର କୃପାଦୃଷ୍ଟି ତାଙ୍କ ଉପରେ ପଡ଼ିନାହିଁ।
ବସ୍ତିନା ଯେତେବେଳେ ୪୪ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଅସହାୟ ବସ୍ତିନା ବିଧବା ଭତ୍ତା ପାଇଁ ଆବେଦନ କରିଥିଲେ। ହେଲେ ଇତି ମଧ୍ୟରେ ତାଙ୍କୁ ୬୦ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇସାରିଛନ୍ତି। ହେଲେ ଏପ ର୍ଯ୍ୟନ୍ତ ମଧ୍ୟ ତାଙ୍କୁ ବିଧବା କି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ତାଲିକାରେ ସାମିଲ କରାଯାଇ ନାହିଁ। ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେ ଥକିଗଲେଣି।
ସରକାରୀ ସହାୟତା ଭାବେ ରାସନ କାର୍ଡ଼ରେ ୫ କେଜି ଚାଉଳ ମିଳୁଛି। ପର ଘରେ କାମ କରି ଯାହା କିଛି ରୋଜଗାର କରୁଛନ୍ତି ସେଥିରେ କଷ୍ଟରେ ଚଳୁଛନ୍ତି। କେବେ କେତେବେଳେ ଅସୁସ୍ଥ ହେଲେ ଗ୍ରାମବାସୀ ସହାୟତାର ହାତ ବଢ଼ାଉଛନ୍ତି।
ବୟସ ବଢ଼ିବାରୁ ଏବେ ଆଉ କାମ କରିପାରୁ ନାହାନ୍ତି। ଫଳରେ ଚଳିବା କଷ୍ଟକର ହୋଇପଡ଼ିଛି। ସେହିପରି ଭଲ ଘରଟିଏ ନଥିବା ବେଳେ ଭଙ୍ଗା ଦଦରା ଝାଟିମାଟି ଘରେ କାଳ କାଟୁଛନ୍ତି। ତୁରନ୍ତ ତାଙ୍କ ପ୍ରତି ଦୃଷ୍ଟି ଦେଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି।
ଖରାଦିନ ପୁର୍ବରୁ ଜଳକଷ୍ଟ: ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ: ଅଯଥା ହେଉଛି ଜଳ ନଷ୍ଟ
ବାଲିଗୁଡ଼ା,୩/୩: ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ଓ୍ବାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ଓ୍ବାର୍ଡରେ ପାଇପ୍ ଲାଇନ୍ ସଂଯୋଗ ହୋଇଥିବା ସତ୍ତ୍ଵେ ଲୋକଙ୍କୁ ପାଣି ମିଳୁନଥିବା ବେଳେ କେତେକ ସ୍ଥାନରେ ପାଣି ଅଯଥା ରେ ଅପଚୟ ହେଉ ଥିବା ବେଳେ ଏବେ ବି ଅନେକ ଓ୍ବାର୍ଡରେ ଲୋକଙ୍କ ଘରକୁ ପାଇପ୍ ପାଣି ସଂଯୋଗ ହୋଇନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।
ରାଜ୍ୟ ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ଅନେକ ପରିବାର ଏଥିରୁ ବଞ୍ଚିତ ଅଛନ୍ତି । ତେବେ ଗ୍ରାମାଞ୍ଚଳରେ କଣ ବ୍ୟବସ୍ଥା ଥିବ ଏଥିରୁ ସ୍ପଷ୍ଟ ଅନୁମେୟ ।
କିନ୍ତୁ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ଵରେ ଥିବା ସଂସ୍ଥା କର୍ମଚାରୀଙ୍କୁ ଘରକୁ ଘର ପଠାଇ ହିତାଧିକାରୀଙ୍କ ଠିକଣା ଯୋଗାଡ଼ କରୁଥିବା ବେଳେ ଜନସାଧାରଣଙ୍କୁ ଉପଯୁକ୍ତ ଜଳ ଯୋଗାଣ ନକରି ହିତାଧିକାରୀଙ୍କ ନିକଟରୁ ବିଭାଗ ପକ୍ଷରୁ ଟିକସ ଆଦାୟ ପାଇଁ ଜୁଲୁମ୍ କରାଯାଉଛି । ବାଲିଗୁଡ଼ାରେ ସହରାଞ୍ଚଳ ଜଳଯୋଗାଣ କାର‌୍ୟ୍ୟାଳୟ ନଥିବା ହେତୁ ଲୋକେ ନିଜ ସମସ୍ୟା ବିଷୟରେ କାହାକୁ ଜଣାଇ ପାରୁନାହାନ୍ତି ।
ଅନ୍ୟପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ସହରର ସମସ୍ତ ସୁବିଧା ଅସୁବିଧା ବୁଝିବା କଥା କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଜଣେ ଅନ୍ୟ ଜଣକ ମୁଣ୍ଡରେ ଦୋଷ ଲଦି ଚାଲିଛନ୍ତି କିନ୍ତୁ ଅଞ୍ଚଳବାସୀଙ୍କ ସମସ୍ୟାକୁ କେହି ଧ୍ୟାନ ଦେଉନାହାନ୍ତି । ଏବେ ଖରାଦିନ ଆସିଲାଣି । ରାଜ୍ୟ ସରକାର ପ୍ରତି ଘରକୁ ଦିନ ରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି ।
ହେଲେ ଆମେ କ\’ଣ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ରହିବୁ ବୋଲି ଲୋକେ ପ୍ରଶ୍ନ କଲେଣି । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଜନ ଆନ୍ଦୋଳନ ହେବ ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

Related Posts

Seo wordpress plugin by www.seowizard.org.