Odisha News

ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭୁବନେଶ୍ୱର,୮/୮: ଯିଏ ଅନ୍ୟକୁ ଜିଏସ୍ଟି ଜାଲରେ ଛନ୍ଦୁଥିଲେ, ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ବାନ୍ଧୁଥିଲେ, ଖୋଦ ସେ ଅଧିକାରୀ ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଜିଏସ୍ଟିର ଜଣେ କୁବେର ଅଧିକାରୀଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ପଶିଥିବା ବେଳେ ତାଙ୍କର ଅମାପ ସମ୍ପତ୍ତି ଠାବ କରିଛି ।
ତାଙ୍କର ମାଳ ମାଳ କୋଠା ଓ ଜମି ଥିବା ଚଢ଼ାଉ ସମୟରେ ଜଣାଯାଇଛି। ଏହି କୁବେର ଅଧିକାରୀଜଣକ ହେଉଛନ୍ତି ବାଣିଜ୍ୟ କର ଓ ଜିଏସଟି, କଟକର ଅତିରିକ୍ତ କମିଶନର ପିୟୁଷ ପାଣି । ଏହି ଚଢ଼ାଉରେ ୫ ଜଣ ଡିଏସ୍ପି, ୧୧ ଇନ୍ସପେକ୍ଟର, ଓ ଏକାଧିକ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି ।
ପିୟୁଷ ପାଣିଙ୍କ ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ଘର ସମେତ କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବ୍ୟାସନଗର ଘରେ ଚାଲିଥିବା ଚଢାଉରେ ଜଣେ ଡିଏସପି ଓ ୩ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ଚଢାଉ ବେଳେ ଭୁବନେଶ୍ୱର ଚକେଇସିଆଣିରେ ତାଙ୍କର ଏକ ୩ ମହଲା ବିଶିଷ୍ଟ କୋଠା, ଯାଜପୁରରେ ୩ଟି ୩ ମହଲା କୋଠା ଓ ଗୋଟିଏ ଘର ଠାବ ହୋଇଛି । ଏହାବାଦ ଭୁବନେଶ୍ୱର ଅନ୍ଧାରୁଆ ମୌଜାରେ ତାଙ୍କ ନାଁରେ ୬ରୁ ଅଧିକ ପ୍ଲଟ ଠାବ ହୋଇଛି। ସେଥିମଧ୍ୟରୁ ଏକାଧିକ ପ୍ଲଟରେ ନିର୍ମାଣ କାର‌୍ୟ୍ୟ ଚାଲିଥିବା ଜଣାଯାଇଛି। ଭୁବନେଶ୍ୱର ସାମପୁର, ସୁନ୍ଦରପୁର ମୌଜାରେ ନିର୍ମାଣାଧୀନ ପ୍ଲଟ ଠାବ ହୋଇଛି ।
ଏହାବାଦ ଘରେ ଚଢ଼ାଉ ବେଳେ କେତେ ନଗଦ ଟଙ୍କା ଓ ଅଳଙ୍କାର ଜବତ ହୋଇଛି, କେତେ ଟଙ୍କା ମୂଲ୍ୟର ବଣ୍ଡ ମିଳିଛି ସେ ନେଇ କିଛି ସୂଚନା ମିଳିନି। ଏନେଇ ଭିଜିଲାନ୍ସ ତରଫରୁ କିଛି ସୂଚନା ଦିଆଯାଇନି।

Related Posts

Seo wordpress plugin by www.seowizard.org.