Odisha News

ବିବିଧିକରଣ ଜୀବିକା ଅତି ଗରିବଙ୍କ ବିକାଶ ମନ୍ତ୍ର

୧୦୦୦ରୁ ଉର୍ଦ୍ଧ୍ଵ ପରିବାରରେ ବନ୍ଦ ହୋଇଛି ପ୍ରବାସୀ ଶ୍ରମିକ

By Mahendra Kumar Darjee

ବଲାଙ୍ଗୀର, ୧୦/୦୪: କୃଷି, ପଶୁପାଳନ, କୁକୁଡା ଚାଷ ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିବା ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅତି ଗରିବ ପରିବାରମାନଙ୍କ ଅନ୍ତର୍ଭୁକ୍ତିକରଣ ଦ୍ଵାରା ବାସ୍ତବ ବିକାଶ ସମ୍ଭବ ବୋଲି ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନମାନେ ପ୍ରମାଣିତ କରିଛନ୍ତି। ଆମେରିକା ସ୍ଥିତ ଅନ୍ତର୍ଜାତୀୟ ସାମାଜିକ ସଂସ୍ଥା ଟ୍ରିକିଲ ଅପ ସହଯୋଗରେ ଜିଲ୍ଲାର ମୁରିବାହଲ ଓ ବଙ୍ଗମୁଣ୍ଡା ବ୍ଲକରେ କାର୍ଯ୍ୟରତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲୋକଦୃଷ୍ଟି, ନିଧି ଓ ମହାଶକ୍ତି ଫାଉଣ୍ଡେସନ ବିଭିନ୍ନ ଗ୍ରାମରେ ଅତି ଗରିବ ପରିବାରମାନଙ୍କୁ ଚିହ୍ନଟ କରିବା ସହ ଦୀର୍ଘ ଦିନ ହେବ କାର୍ଯ୍ୟ କରିଆସୁଛନ୍ତି। ଗ୍ରାମର ଅତି ଗରିବ ପରିବାରମାନଙ୍କୁ ଚିହ୍ନଟ ପୂର୍ବକ ସେମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାରେ ସାମିଲ କରାଯିବା ସହ ଆବଶ୍ୟକୀୟ ତାଲିମ ଦ୍ଵାରା ଦକ୍ଷତା ବିକାଶ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୂକ୍ତିକରଣ କରାଯାଇଅଛି। ପ୍ରକଳ୍ପ ସହଭାଗୀମାନେ ଇଚ୍ଛୁକ ଥିବା ଜୀବିକାର ଯୋଜନା ପ୍ରସ୍ତୁତ କରାଯାଇ ଆବଶ୍ୟକୀୟ ସହାୟତା ମଧ୍ୟ ଯୋଗାଇଦିଆଯାଇଛି।ଏହି ପ୍ରକଳ୍ପ ଦ୍ଵାରା ଅଞ୍ଚଳର ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ଵ ଅତି ଗରିବ ପରିବାର ପ୍ରବାସୀ ଶ୍ରମିକ ନହୋଇ ନିଜ ଗ୍ରାମରେ ରୋଜଗାର ସୁବିଧା ପାଇବା ସହ ନିଜ ପିଲାମାନଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ଦେବାରେ ସକ୍ଷମ ହୋଇପାରିଛନ୍ତି। ପ୍ରକଳ୍ପ ଅନ୍ତର୍ଗତ ଅତି ଗରିବ ପରିବାରର ମହିଳାମାନଙ୍କୁ ନେଇ ଗଠିତ ୨୧ଟି ଇଚ୍ଛୁକ କୃଷକ ଦଳ (ଏଫଆଇଜି) ଛତୁ ଚାଷ, କୁକୁଡା ପାଳନ, ପନିପରିବା ଚାଷ ଆଦି କରି ଅନେକ ଲାଭବାନ ହୋଇପାରୁଛନ୍ତି।

ପୂର୍ବରୁ ରାୟପୁର ଯାଇ କାମ କରୁଥିବା ପିତାପଡାର ସୁକାନ୍ତି ପ୍ରଧାନ କୁହନ୍ତି, “ଆମ ଗାଁରେ କିଛି କମ ଧଣ୍ଡ ନଥିଲା, ଆମ ଗାଁର ଅନେକ ଲୋକମାନଙ୍କ ଭଳି ଆମେ ସ୍ଵାମୀ ସ୍ତ୍ରୀ ରାୟପୁର କମ କରିବାକୁ ଯାଉଥିଲୁ। ପିଲାମାନଙ୍କ ପାଠ ପଢା ଦୂରର କଥା ସେମାନଙ୍କୁ ଭଲ ପରିବେଶ ବି ମିଳିପାରୁନଥିଲା। ବର୍ତ୍ତମାନ ଆମେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାଷ କାମ ସହ ଛେଳି ଓ ମେଣ୍ଢା ପାଳନ,ବତକ ଓ କୁକୁଡା ଚାଷ କରୁଛୁ। ଜବ କାର୍ଡ ହେବା ପରେ ଆମ ପଞ୍ଚାୟତରେ କାମ ବି କରୁଛୁ। କାମ ଧନ୍ଦା ପାଇଁ ଆଉ ବାହାରକୁ ଯିବାକୁ ପଡିବ ନାହିଁ।”

ବଲାଙ୍ଗୀର ଜିଲ୍ଲାର ବିଜଘାଟ,ପିତାପଡା ଓ ମନିଗାଁ ଆଦି ପରିଦର୍ଶନ କରି ଟ୍ରିକିଲ ଅପର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାଥାଲି କାଟ୍ରିନା, ଉପ-ସଭାପତି ବାରବରା ଜାକସନ, ନିର୍ଦ୍ଦେଶକ ଅଞ୍ଜୁମ ଖାଲିଦି, ଏସିଆ ଆଞ୍ଚଳିକ ଶାଖା ମୁଖ୍ୟ ସୁଶାନ୍ତ ବର୍ମା, ଏସିଆ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗନ୍ତ ମହାନ୍ତି ଆଦି ପ୍ରମୁଖ ପ୍ରକଳ୍ପ ଦ୍ଵାରା ଅତି ଗରିବ ପରିବାରମାନଙ୍କ ବିକାଶ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁଦୂର ଆମେରିକାରୁ ଆସିଥିବା ଏହି ଦଳକୁ ଗ୍ରାମବାସୀମାନେ ଭାବି ସ୍ଵାଗତ କରିବା ସହ ସେମାନେ କରୁଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଦେଖାଇଥିଲେ। ଜୀବିକା ବିବିଧିକରଣ ଦ୍ଵାରା ଅତି ଗରିବ ପରିବାରମାନେ ଉପକୃତ ହୋଇପାରିଛନ୍ତି ବୋଲି ଆମେମାନେ ଖୁବ ଖୁସି। ଦଳଗତ ବ୍ୟବସାୟ ଦ୍ଵାରା ସେମାନେ ଆର୍ଥିକ ଭାବେ ଆହୁରି ସୁଦୃଢ ହେବେ ବୋଲି ଆମେ ଆଶା ରଖିଛୁ ବୋଲି ନାଥାଲି କାଟ୍ରିନା କହିଛନ୍ତି। ଗ୍ରାମବାସୀମାନଙ୍କ ଭବ୍ୟ ସମ୍ବର୍ଦ୍ଧନାରେ ଆମେ ଖୁବ ଆମୋଦିତ ଓ ଭାରତର ଏହି ସଂସ୍କୃତି ହିଁ ବିଶ୍ଵ ଦରବାରରେ ଏହାର ପରିଚୟ ବୋଲି ସେ କହିଛନ୍ତି।

English Title: Diversified livelihood options can bring turnaround in lives of poor people

Related Posts

Seo wordpress plugin by www.seowizard.org.