Odisha News

ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ, ବିଭିନ୍ନ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା

ଭୁବନେଶ୍ୱର,୨/୮: ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ମୁଖ୍ୟତଃ କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଏବଂ ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।
ଲଗାଣ ବର୍ଷା ପାଇଁ ଜିଲ୍ଲାପାଳମାନେ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଏପରିକି ଏହି ସୂଚନା ପିଲାଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଗଣମାଧ୍ୟମ, ଫୋନ୍ ତଥା ହ୍ୱାଟସ୍ ଆପ୍ ଗ୍ରୁପ୍ର ସାହାଯ୍ୟ ନିଆଯାଉଛି।
ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରେ ର୍ଷା ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ମାଟି ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦେବାକୁ କେନ୍ଦୁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ବର୍ଷା ସ୍ଥିତିକୁ ଦେଖି ସମ୍ବଲପୁରରେ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ନଯିବାଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ ।

Related Posts

Seo wordpress plugin by www.seowizard.org.