Odisha News

ବାପପୁଅଙ୍କୁ ତାଲା ମାରି ଚାଲିଗଲେ କର୍ମଚାରୀ, ରାତିସାରା ବସିଲେ ଧାରଣାରେ

ନୟାଗଡ଼,୧୧/୩: ମୁଁ କିଛି ପାଠ ପଢ଼ିନି କି କିଛି ଜାଣିନି। ମୋ’ଠୁ ଟିପ ଚିହ୍ନ ନେଇ ୩ ଯୁବକ ମୋ’ ଆକାଉଣ୍ଟରୁ ୪୦ ଲକ୍ଷ ନେଇଗଲେ।
ଏବେ ବ୍ୟାଙ୍କ କର୍ମଚାରୀଙ୍କୁ କହିଲେ କିଛି ଶୁଣୁ ନାହାନ୍ତି। ବ୍ୟାଙ୍କ କହୁଛି ଥାନାକୁ ଯାଅ, ପୁଲିସ୍ କହୁଛି ବ୍ୟାଙ୍କକୁ ଯାଅ । ଆମେ କେମିତି ଆମ ଟଙ୍କା ଫେରି ପାଇବୁ, କିଛି ଜାଣି ପାରୁନୁ। ତେଣୁ ବ୍ୟାଙ୍କ ଆଗରେ ଧାରଣା ଦେଇଛୁ।’
ଗତକାଲି ରାତି ସାରା ନୟାଗଡ଼ ଜିଲ୍ଲା ଆଇଡ଼ିବିଆଇ ବ୍ୟାଙ୍କ ଭିତରେ ଜଣେ ବୃଦ୍ଧ ନିଜ ପୁଅ ସହ ଧାରଣାରେ ବସି ରହିଥିବା ବେଳେ ବ୍ୟାଙ୍କ କର୍ମଚାରୀ ବାହାରୁ ତାଲା ମାରି ଛୁ ହୋଇଗଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ବୃଦ୍ଧଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ମଧ୍ୟଖଣ୍ଡର ଆକାଉଣ୍ଟଧାରୀ ବୃଦ୍ଧ ରଜନୀ ପ୍ରଧାନ।
ନୟାଗଡ଼ ତହସିଲ ମୁକ୍ତାପୁରରେ ବାଇପାସ କାମ ପାଇଁ ଦଶପଲା ମଧ୍ୟଖଣ୍ଡର ରଜନୀ ପ୍ରଧାନଙ୍କର ୨୫ ଡେସିମିଲି ଜାଗା ଯାଇଛି କ୍ଷ ଏଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କା ମିଳିଥିବା ବେଳେ ତାହା ତାଙ୍କ ଆଇଡ଼ିବିଆଇ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା । ହେଲେ ଏହି ଟଙ୍କାକୁ ଜାଲିଆତି କରି ମୁକ୍ତାପୁର ଗ୍ରାମର ୩ ଜଣ ନେଇଯାଇଥିବା ଅଭିଯୋଗ ହୋଇଛି ।
ସେମାନେ ବୟସ୍କ ରଜନୀଙ୍କଠାରୁ ଟିପ ଚି଼ହ୍ନ ନେଇ ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି କ୍ଷ
ତେବେ ଏହି ଜାଲିଆତି ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ସହ ୪୦ଲକ୍ଷ ଟଙ୍କା ଫେରିପାଇବାକୁ ଧାରଣା ଦେଇଛନ୍ତି ବାପା ପୁଅ । ଏ ନେଇ ବ୍ୟାଙ୍କ କର୍ମଚାରୀ କିଛି ପ୍ରତିକ୍ରିୟା ଦେଇନଥିବା ବେଳେ ଯାହା ହୋଇଛି ଲିଗାଲୀ ହୋଇଛି କହି ପଳେଇଯାଇଛନ୍ତି ।
ଅପରପକ୍ଷେ ରଜନୀ କହିଛନ୍ତି, ମୁଁ ଅପାଠୁଆ । ଟିପ ଚିହ୍ନ ନେଇ ମୋ’ ଟଙ୍କା ହାତେଇନେଲେ। ବ୍ୟାଙ୍କ କର୍ମଚାରୀ କିଛି ସାହାଯ୍ୟ କରୁ ନାହାନ୍ତି।

Related Posts

Seo wordpress plugin by www.seowizard.org.