Odisha News

ଏଥିରେ ବି ଆନନ୍ଦ ଥାଏ : ଝିଅ ବାହାଘର ଅବସରରେ ସହରର ବେସାହାରା ଲୋକମାନଙ୍କୁ ଦାମୀ ହୋଟେଲରେ ଖୁଆଇଲେ ଆଇଏଏସ୍ ଅଫିସର

ଭୋପାଳ,୧୧/୨: ଝିଅ ବାହାଘରରେ ଅଯଥା ଟଙ୍କା ଖର୍ଚ୍ଚ ନ କରି ସେହି ଟଙ୍କାରେ ଗରିବ ଲୋକଙ୍କୁ ନେଇ ଦାମୀ ହୋଟେଲରେ ଖୁଆଇଲେ ଆଇଏଏସ୍ ଅଧିକାରୀ । ବଡ କଥା ଯେ ଅଧିକାରୀଜଣକ ନିଜ ହାତରେ ଗରିବ ଲୋକଙ୍କୁ ଖାଇବା ବାଢ଼ିଥିଲେ ଓ ଆଶୀର୍ବାଦ ଭିକ୍ଷା କରିଥିଲେ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଦମ ସତ ।
ଗ୍ୱାଲିଅର ମ୍ୟୁନିସିପାଲିଟି କର୍ପୋରେସନର କମିଶନର କିଶୋର କାନିଆଲ ନିକଟରେ ମାନବିକତାର ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକୁ ନେଇ ସବୁଠାରେ ଆଲୋଚନା ଜୋର ଧରିଛି ।
ବାସ୍ତବରେ କିଶୋର ତାଙ୍କ ଝିଅର ବିବାହ ପୂର୍ବରୁ ସହରର ବେସାହାରା ବ୍ୟକ୍ତିମାନଙ୍କୁ ଏକ ଦାମୀ ହୋଟେଲକୁ ନେଇଥିଲେ ଏବଂ ନିଜ ହାତରେ ଖାଦ୍ୟ ପରିବେଷଣ କରି ସେମାନଙ୍କୁ ସମ୍ମାନର ସହ ଖାଇବାକୁ ଦେଇଥିଲେ। ଗ୍ୱାଲିଅରରେ ମ୍ୟୁନିସିପାଲିଟି କମିଶନର ଭାବରେ ନିଯୁକ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କିଶୋର କାନିଆଲଙ୍କ ଝିଅ ଦିବ୍ୟାନ୍ସିଙ୍କର ବାହାଘର ହେବାକୁ ଥିବାବେଳେ ତାଙ୍କର ଏକ ଫଟୋ କିଛି ସୋସିଆଲ୍ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ କିଛି ଲୋକଙ୍କୁ ହୋଟେଲରେ ଖାଦ୍ୟ ପରିବେଷଣ କରି ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଥିଲା ।
ସେ ସହରର ଶହେରୁ ଅଧିକ ଗରିବ ଲୋକଙ୍କୁ ସହରର ଏକ ବିଳାସପୂର୍ଣ୍ଣ ହୋଟେଲକୁ ନିମନ୍ତ୍ରଣ କରିଥିଲେ। ପରେ ନିଜ ହାତରେ ହୋଟେଲର ଡାଇନିଂ ହଲରେ ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିଥିଲେ। ଭାଇରାଲ ଭିଡିଓରେ କାନିଆଲ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ଅତିଥିମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି। ପରେ ସମସ୍ତଙ୍କୁ ସାଲ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ।
ଆଇଏଏସ୍ ଅଧିକାରୀ କନିଆଲ୍ କହିଛନ୍ତି ଯେ ତାଙ୍କ ଝିଅର ବିବାହ ହେବାକୁ ଥିବାବେଳେ ବେସାହାରାମାନଙ୍କ ଆଶୀର୍ବାଦ ପାଇବା ଦ୍ୱାରା ତାଙ୍କୁ ମାନସିକ ଶାନ୍ତି ମିଳିଥିଲା। ଏଥିସହିତ ସେ କହିଛନ୍ତି ଯେ ସମସ୍ତେ ତାଙ୍କ ଝିଅର ବିବାହ ଉତ୍ସବର ଖୁସି ପାଇବାକୁ ହକଦାର। ଆମର ସହକର୍ମୀ ହୁଅନ୍ତୁ, କର୍ମଚାରୀ ସାଥୀ ହୁଅନ୍ତୁ କିମ୍ବା ସହରର ଗରିବ ଲୋକ ।
ସମ୍ବାଦ

Related Posts

Seo wordpress plugin by www.seowizard.org.