Odisha News

ଗଜପତି: “ଓଡ଼ିଶା ଦି ରେଲୱେ ଷ୍ଟୋରୀ” ସମ୍ପର୍କିତ କର୍ମଶାଳାରେ ଓଡ଼ିଶାର ପ୍ରଥମ ରେଳପଥ ନିର୍ମାଣରେ ପାରଳାର ଅବଦାନ ପ୍ରସଙ୍ଗ ଉପରେ ଆଲୋଚନା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୯: ଓଡ଼ିଶା ରେଲୱେ ଯାତ୍ରାର ଅଗ୍ରଗତି ନେଇ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାର୍ଥନା-ସଭା ହଲ ଠାରେ ଆପନ୍ନା ପରିଛା ସ୍ମୃତିସଂସଦ ଆନୁକୁଲ୍ୟରେ “ଓଡ଼ିଶା ଦି ରେଲୱେ ଷ୍ଟୋରୀ” ସମ୍ପର୍କିତ କର୍ମଶାଳାରେ ଓଡ଼ିଶାର ପ୍ରଥମ ରେଳପଥ ନିର୍ମାଣରେ ପାରଳାର ଅବଦାନ ଶୀର୍ଷକ ପ୍ରସଙ୍ଗ ଉପରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।
ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ଡଃ ଶଙ୍କର ପ୍ରସାଦ ବକ୍ସି ସଭାପତିତ୍ବ କରି ଇଚ୍ଛାଶକ୍ତି ଓ ଆଗ୍ରହ ଥିଲେ ଯେ କୌଣସି କାର୍ଯ୍ୟ ସମ୍ଭବ ହୋଇପାରେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ରେଳବାଇ ଯାତ୍ରାର ଅଗ୍ରଗତି ସମ୍ପର୍କରେ ଲିଖିତ ପୁସ୍ତକର ଲେଖକ ତଥା ଭାରତୀୟ ରେଳୱେ ପ୍ରଶାସନିକ ସେବାର ଅବସର ପ୍ରାପ୍ତ ଅଧିକାରୀ ଶ୍ରୀ ଦିଲୀପ କୁମାର ସାମନ୍ତରାୟ ଯୋଗଦେଇ ମୁଖ୍ୟତଃ ଏହି ଲିଖିତ ପୁସ୍ତକ ଓଡ଼ିଶାର ବିକାଶ ସହିତ ରେଳବାଇର ବିକାଶ କିଭଳି ହୋଇଛି ।
ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହାର କିଭଳି ପ୍ରଭାବ ପଡିଛି ଏବଂ ଆଗାମୀ ଦିନରେ କଣ ସବୁ ଅଗ୍ରଗତି ହେବାକୁ ଯାଉଛି ସେସବୁ ପୁସ୍ତକରେ ଉଲ୍ଲେଖ କରାଯାଇଛି ବୋଲି କହିଥିଲେ ।
ମୁଖ୍ୟତଃ ପାରଳାଖେମୁଣ୍ଡି ଠାରେ ତତ୍କାଳୀନ ପାରଳା ମହାରାଜାଙ୍କ ଦ୍ଵାରା ୧୯୦୦ ମସିହାରେ ଯେଉଁ ଲାଇଟ୍ ରେଲୱେ ଚାଲୁ ହୋଇଥିଲା , ବାସ୍ତବିକ ତାହା ଓଡ଼ିଶାର ରେଳ ବିକାଶରେ ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା କହି ଓଡ଼ିଶାର ରେଳବାଇ , ଭାରତୀୟ ରେଳବାଇକୁ ରହିଥିବା ଅବଦାନ ସମ୍ପର୍କରେ ବିବେଚନା କରାଯାଇଛି ବୋଲି କହିଥିଲେ ।
ସେହିଭଳି ଦିଲୀପ ସାମନ୍ତରାୟଙ୍କ ତଥ୍ୟ ଭିତ୍ତିକ ଲିଖିତ ପୁସ୍ତକ \”ଓଡ଼ିଶା ଦି ରେଲୱେ ଷ୍ଟୋରୀ\” ଲେଖନୀ ସମୟରେ ତାଙ୍କୁ ସହଯୋଗ କରିଥିବା ପାରଳାର ଯୁବ ଇଞ୍ଜିନିୟର ଶ୍ରୀ ବିଷ୍ଣୁ ମୋହନ ଅଧିକାରୀ , ଲେଖକ ଶ୍ରୀ ସାମନ୍ତରାୟଙ୍କୁ କିଭଳି ସହଯୋଗ କରିଥିଲେ କହି ଓଡ଼ିଶାର ପ୍ରଥମ ରେଳପଥ ନିର୍ମାଣରେ ପାରଳାର ଅବଦାନ\” ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ତଥ୍ୟ-ଭିତ୍ତିକ ସୂଚନା ପ୍ରଦାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଏବଂ ସ୍ମୃତି ସଂସଦର ମୁଖ୍ୟ ଶ୍ରୀ ମୁରଲୀ ଧର ପରିଛା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ଥିଲେ ।
ଏହି ଅବସରରେ ପୁସ୍ତକର ଲେଖକ ଶ୍ରୀ ସାମନ୍ତରାୟ ଏବଂ ଲେଖକଙ୍କୁ ସହଯୋଗ କରିଥିବା ଯୁବ ଇଞ୍ଜିନିୟର ଶ୍ରୀ ଅଧିକାରୀଙ୍କୁ ଅପନ୍ନା ପରିଛା ସ୍ମୃତି ସଂସଦ ଓ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଉପଢ଼ୌକନ ଓ ମୋମେଣ୍ଟୋ ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା ।
ଏଥି ଅବସରରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ସର୍ବାଙ୍ଗୀନ ବିକାଶ ଉପରେ ଅପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ଆଠ ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ଶ୍ରୀ ଦିଲୀପ କୁମାର ସାମନ୍ତରାୟଙ୍କୁ ପ୍ରଦାନ କରା ଯାଇଥିଲା ।
ଶିଶୁ ବିଦ୍ୟା ମନ୍ଦିରର ଗୁରୁମା ଶିବାନୀ ରଥ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଗୁରୁଜୀ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡିତ ଅତିଥି ମାନଙ୍କ ପରିଚୟ ପ୍ରଦାନ , ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ଏବଂ ଶେଷରେ ଗୁରୁଜୀ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.