ଗଜପତି: ବିଶ୍ବ ମ୍ୟାଲେରିଆ ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୪ : ପାରାଳାଖେମୁଣ୍ଡି ଠାରେ ବିଶ୍ବ ମ୍ୟାଲେରିଆ ଦିବସ-୨୦୨୨ ପାଳନ ଅବସରରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ା: ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ମାଇ ଏନୋଫିଲିସ ମଶା- ମ୍ୟାଲେରିଆ କିଟାଣୁର ବାହକ ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଲୋକଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ମ୍ୟାଲେରିଆର ଲକ୍ଷଣ , ଚିକିତ୍ସା ଓ ତାର ପ୍ରତିକାର ସମ୍ପର୍କରେ କହି ଘର ପାଖରେ ପାନି ଜମିବା ଓ ଅପରିସ୍କାର ନାଳ ନର୍ଦ୍ଦମା କାରଣରୁ ହିଁ ଏହି ମ୍ୟାଲେରିଆ ବ୍ୟାପୀଥାଏ ।
ତେଣୁ ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରାଇବା , ଘର ପରିବେଶ ଚତୁଃପାଶ୍ବ ସଫା-ସୁତୁରା ରଖିବା , ପାଣିକୁ ଗରମ କରି ପିଇବା , ମଶାରି ଟାଣି ଶୋଇବା ଓ ଘର ଆଖ-ପାଖ ଅଞ୍ଚଳରେ ଖାଲଖମା କି ପଡ଼ିଥିବା କୋଣସି ଅବ୍ୟବହାର ଜିନିଷରେ ପାଣି ଜମିବାକୁ ନ ଦେବା ପ୍ରଭୃତି ପ୍ରତି ଜାଗ୍ରତ ରହିବା ହିଁ ମ୍ୟାଲେରିଆରୁ ରକ୍ଷା ପାଇବା ମୂଳ ଉପାୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ ଅଧିକ୍ଷକ ଡ଼ା: ପ୍ରମୋଦ କୁମାର ପଣ୍ଡା , ଏଡିପିଏଚଓ ଡ଼ା: ମହମ୍ମଦ ମୁବାରକ ଅଲ୍ଲୀ , ଜିଲ୍ଲା କୁଷ୍ଠ ରୋଗ ନିବାରଣ ଅଧିକାରୀ ଡ଼ା: ଇନ୍ଦିରା ମହାପାତ୍ର , ଡିପିଏମ ସୌମ୍ୟରାଣୀ ଗୌଡ଼ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଶ୍ବ ମ୍ୟାଲେରିଆ ଦିବସ ପାଳନ ଅବସରରେ ଚଳିତ ବର୍ଷର ବାର୍ତ୍ତା :- “ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ କମାଇବା ଓ ଜୀବନ ରକ୍ଷା କରିବାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ଭିବିଡି କନସଲଟାଣ୍ଟ ଶ୍ରୀ ସିଦ୍ଧାର୍ଥ ଦାସ ପାୱାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ ସମ୍ପର୍କିତ ବିଭିନ୍ନ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ ।
ପରେ ଏଏନଏମ: ଟ୍ରେନିଂ ନେଉଥିବାଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ହୋଇଥିବା ମ୍ୟାଲେରିଆ ନ ହେବା ଓ ପରିବେଶ ସଫା ସୁତୁରା ସମ୍ପର୍କିତ ଚିତ୍ର ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ମାନପତ୍ର ସହ ପୁରସ୍କାର ବଣ୍ଟନ କରିଥିଲେ । ଏହାକୁ ଏଡିପିଏଚସିଓ ଶ୍ରୀ ନେତ୍ରା ନନ୍ଦ ଶତପଥୀ ପରିଚାଲନା କରିଥିଲେ ।
ଏହାପରେ ସିଡିଏମଓ: ଡ଼ା: ପ୍ରଦୀପ କୁମାର ପାତ୍ର ମ୍ୟାଲେରିଆର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ପାଇଁ ସମସ୍ତେ କର୍ତ୍ତବ୍ୟ ନିଷ୍ଠା ଓ ତତ୍ପରତା ହୋଇ କାର୍ଯ୍ୟ କରିବେ ବୋଲି ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।
ଏହି ଅବସରରେ ସହରର ସାହି-ବସ୍ତିରେ ଆଶା କର୍ମୀ ମାନେ ମ୍ୟାଲେରିଆ ର ବିଭିନ୍ନ ଦିଗ ଉପରେ ସୁରକ୍ଷୟିତ ରହିବା ପାଇଁ ମାଇକ ଯୋଗେ ସଚେତନ କରାଇ ଥିଲେ ।