ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୮/୫ : ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଉପୁଜିଥିବାରୁ ସବୁଠି ହଇଚଇ ସୃଷ୍ଟି ହୋଇଛି । ଏନେଇ ଭାରତର ସବୁ ରାଜ୍ୟରେ ସତର୍କ ସୂଚନା ଜାରି କରାଯାଇଛି । ଯୁଦ୍ଧ ପାଇଁ ରାଜ୍ୟ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ” ଯେକୌଣିସି ପରିସ୍ଥିତି ହେଲେ ବି ଆମ ରାଜ୍ୟ ପୂରା ପ୍ରସ୍ତୁତ ଅଛି । ଡାଲି, ଚାଉଳ, ତେଲ, ଲୁଣ ସବୁ ମହଜୁଦ୍ ଅଛି ” । ଏହି ସମୟରେ କୌଣସି କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ । ରାଜ୍ୟବାସୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି ।
ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ନୃଶଂସ ଆତଙ୍କବାଦୀମାନେ ଧର୍ମ ପଚାରି ନିରୀହ ପର୍ୟ୍ୟଟକଙ୍କ ଉପରକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ସୁନ୍ଦର ପରିବେଶ କିଛି କ୍ଷଣ ମଧ୍ୟରେ ରକ୍ତର ଛିଟାରେ ରକ୍ତ ରଂଜିତ ହୋଇଯାଇଥିଲା । ଯାହାର ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଆସେ । ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନର ୯ଟି ଆଡ୍ଡା ଉପରେ ମିସାଇଲ ମାଡ଼ କରି ଧ୍ୱଂସ କରିଥିଲା । ଯାହାର ନାମ ଥିଲା ‘ଅପରେସନ୍ ସିନ୍ଦୂର’ । ଏହା ପରେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛି । ଭାରତୀୟ ସେନାମାନେ ସୀମାରେ ସଜାଗ ହୋଇ ଅପରେସନ ଜାରି ରଖିଛନ୍ତି ।