Odisha News

ଶଙ୍ଖଭଵନରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୯: ବୌଦ୍ଧ ଜିଲ୍ଲାର ବିଜୁ ଜନତା ଦଳର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥ ଶଙ୍ଖଭଵନ ଠାରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତ ତଥା ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀରେ ସମନ୍ୱୟ କମିଟି ଅଧକ୍ଷ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା ବୌଦ୍ଧ ବିଜେଡି ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ ପ୍ରମୁଖଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇ ପରାଜୟର ସମୀକ୍ଷା କରିବାସହ ଆଗାମୀ ଦିନରେ ଦଳକୁ ସଙ୍ଗଠିତ କରି ପୁଣିଥରେ ନବୀନ ପଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ରାଜ୍ୟରେ ସର୍ବାଧିକ ଭୋଟପାଇଥିବା ସତ୍ୱେ କୌଣସି ନାଁ କୌଣସି କାରଣରୁ ଆସନ ସଂଖ୍ୟା କମି ଆଜି ବିରୋଧୀ ଦଳରେ ବିଜୁ ଜନତା ଦଳ ଅବସ୍ଥିତ ହୋଇଛି ମାତ୍ର ଲୋକଙ୍କୁ ଯେଉଁ ସ୍ବପ୍ନ ଦେଖାଇ ବିଜେପି କ୍ଷମତାକୁ ଆସିଥିଲା ତାହା ସରକାର ଗଠନର ଶହେଦିନ ଭିତରେ ପୂରଣ କରିବାତ ଦୂରର କଥା ଓଲଟି ଜନସାଧାରଣଙ୍କୁ ନିର‌୍ୟାତନା ଦେବା ଆରମ୍ଭ କରିଛି ।
ଆଜି ସାରା ରାଜ୍ୟରେ ଦୁର୍ନୀତିର ଚରମ ସୀମାକୁ ଛୁଇଁଛି । ଏଣୁ ଏ ବିଷୟରେ ଜଣଜାଗରଣ ସୃଷ୍ଟି କରିବା ନିମିତ୍ତ ବିଜେଡି ପ୍ରତି ଗାଁ କୁ ଘରକୁ ପହଞ୍ଚିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି ।
ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର, ଯୁବନେତା ଅବକାଶ ସାହୁ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ,ବିଦ୍ୟାଧର ସ୍ୱାଇଁ ଭାଗିରଥି ମଲ୍ଲିକ,ଅରୁଣ ପ୍ରଧାନ, ଅଶ୍ୱିନୀ ପ୍ରଧାନ,ପ୍ରେମରାଜ ରଣା, ପ୍ରଭାତ ପ୍ରଧାନ, ସଂଜିତ ବାରିକ, ପଙ୍କଜ ସାହୁ, ନିହାର ଘୋଷ, ସୁଶାନ୍ତ ପ୍ରଧାନ ,ସଞ୍ଜୟ ଦେହୁରୀ ,ଅଶୋକ ମେଣ୍ଡୁଳି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଦଳକୁ ସୁଦୃଢ କରିବା ପାଇଁ ପ୍ରଦାନ କରିଥିଲେ ।
ଆସନ୍ତା ୨୧ ରୁ ୨୩ ଜିଲ୍ଲାରେ ହେବ ବିକାଶ ମେଳା
ବୌଦ୍ଧ,୨୦/୯: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିକଶିତ ଓଡିଶାର ଅଭ୍ୟୁଦୟ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ବିକାଶ ମେଳା ଉପରେ ଆଲୋକପାତ କରିଥିଲେ ।
ବୌଦ୍ଧ ଜିଲ୍ଲା ସୂଚନା –ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ବିକାଶ ମେଳା-୨୦୨୪ ସରକାରଙ୍କ ୧୦୦ ଦିନର ପୂର୍ତୀ ଉପଲକ୍ଷେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ୨୦୩୬ ସୁଦ୍ଧା ହେବ ବିକଶିତ ଓଡିଶାର ଅଭ୍ୟୁଦୟ ସୂଚନା-ଶିକ୍ଷା-ସଂଚାର କାର୍ଯ୍ୟକ୍ରମ ଓ ବିକାଶ ମେଳା ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୁଳ୍ୟରେ ସେପ୍ଟେମ୍ବର ୨୧ ରୁ ୨୩ ତାରିଖ ତିନି ଦିନ ଧରି ବୌଦ୍ଧ କଚେରୀ ପଡିଆ, ଠାରେ ଅନୁଷ୍ଠିତ ହେବ ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୋକୁଳାନନ୍ଦ ମଲ୍ଲିକ ଆସନ୍ତା ୨୧.୦୯.୨୪ ତାରିଖ ଶନିବାର ଦିବା ୧୧ ଘଟିକା ସମୟରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବେ ।
ଓରମାସ୍ ତଥା ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ୨୮ ଷ୍ଟଲ୍, ସାଧାରଣ ସଭା ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ଓରମାସ ଶିବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୨୦/୯: ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପଦ୍ମନପୁର ଗ୍ରାମ ପଂଚାୟର ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସୁବିଧା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମକୁ ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚୀବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ଏବଂ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ବରିଷ୍ଠ ଶିକ୍ଷକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମନପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ, ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
ଏଥିରେ ଉପସ୍ଥିତ ଥିବା ଅଧିକାରୀ ଗଣ ସମସ୍ତଙ୍କୁ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ସରକାରଙ୍କ ଦ୍ୱାରା ସେମାନଙ୍କ ପାଇଁ ଶ୍ରମ କାର୍ଡ ଦ୍ୱାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ।
ଜାନକି ଭିକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ର ପରିଦର୍ଶନ
ବୌଦ୍ଧ,୨୦/୯: ବୌଦ୍ଧ ବୁଟୁପାଲି ସ୍ଥିତ ଜାନକି ଭିକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଂଜନ ମେହେର ଙ୍କ ତତ୍ୱାବଧନରେ ଧନ୍ଧାମୁଳକ ଶିକ୍ଷାର ଅଟୋମେଟିଭ, ଇଲେକ୍ଟ୍ରୋନିକସ୍ ଓ ହାର୍ଡୱେୟର ବିଷୟର ଛାତ୍ରଛାତ୍ରୀମାନେ ପ୍ରଶିକ୍ଷକ ଚିନ୍ମୟ କୁମାର ପଥ୍ରୀମାଳି ଓ ହେମନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ପଲାସ ଠାରେ ମନୋରମା ଏଂଟର ପ୍ରାଇଜର୍ସକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ।
ସେଠାରେ ଛାତ୍ରଛାତ୍ରୀମାନେ ଥ୍ରୀଫେଜ୍‌, ସିଙ୍ଗିଲ୍‌ଫେଜ୍ ପାୱାର ସପ୍ଲାୟ, ଆର୍ଥିଙ୍ଗ୍‌, ଇଲେକ୍ଟ୍ରୋନିକସ୍ କମ୍ପୋନେଂଟ, ଇଲେକ୍ଟ୍ରିକାଲ ଯନ୍ତ୍ରପାତି, କମ୍ପ୍ରେସର, କଂଟ୍ରୋଲ ସିଷ୍ଟମ ଓ ଓଭାନ୍ ବ୍ୟାଗ୍ ତିଆରି ବିଷୟରେ ସମ୍ୟକ ଜ୍ଞାନ ଆହରଣ କରିଥିଲେ । ପରିଚାଳକ ତଥା ଯୁବ ଉଦ୍ୟୋଗୀ ଜିତେନ୍ଦ୍ର ମେହେର ଛାତ୍ରଛାତ୍ରୀଙ୍କୁ ତାଙ୍କ କାରଖାନା ବୁଲାଇ ଦେଖାଇବା ସହ ସେଠାରେ ଥିବା ସମସ୍ତ ଉପକରଣ ବିଷୟ ଉପରେ ହେଣ୍ଡ ଅନ୍ ସ୍କିଲ ପ୍ରକ୍ରୀୟାରେ ପ୍ରଶିକ୍ଷଣ ଦେଇ ଛାତ୍ରଛାତ୍ରୀ ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଓ ସୂକ୍ଷ୍ମ ଉଦ୍ୟୋଗୀକରଣ ର ପ୍ରେରଣା ଦେଇଥିଲେ ।
ରାଜ୍ୟ ସିନିୟର ଆଥଲେଟିକ୍ସ ଚମ୍ପିଅନସିପ ପ୍ରତିଯୋଗୀତାରେ ବୌଦ୍ଧର ସଫଳତା
ବୌଦ୍ଧ,୨୦/୯: ଭୂବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଓଡିଶା ଆଥଲେଟିକ ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଅନୁକୁଲ୍ୟରେ ଚାଲିଥିବା ୭୦ ତମ ରାଜ୍ୟ ସିନିୟର ଆଥଲେଟିକ ଚମ୍ପିଅନସିପ ପ୍ରତିଯୋଗୀତାରେ ବୌଦ୍ଧଜିଲ୍ଲାର ରାହୁଲ ସରାଫ ହାଇଜମ୍ପ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରି ବୌଦ୍ଧଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ଶ୍ରୀ ସରାଫ ରୌପ୍ୟ ପଦକ ଜିତିବା ପରେ ଜିଲ୍ଲା କ୍ରିଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ, ଦଳର କୋଚ ତଥା ମ୍ୟାନେଜର ରଂଜିତ କୁମାର ରାଉତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାଗବତ ଜନ୍ମରେ ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ
ବୌଦ୍ଧ,୨୦/୯: ପବିତ୍ର ପୁର୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥି ପାଇଁ ବୌଦ୍ଧ ଜିଲ୍ଲାରେ ପୁରପଲ୍ଲୀରେ ମହାସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଅଛି , ଯାହା ଭଗବାନ ରାଧାକୃଷ୍ଣଙ୍କ ଚାପ ଖେଳ ମହାନଦୀର ଜଳରାଶିରେ କରାଯାଇଥାଏ ।
ସମସ୍ତ ପ୍ରକାର ନିତି ୍‌କାନ୍ତି ପରେ ପ୍ରଭୁ ମାନଙ୍କୁ ବିମାନରେ ବସାଇ ନାମ ସଂର୍କିତ୍ତନ କରି ସହର ପରିକ୍ରମା ପରେ ମହାନଦୀ କୁ ନେଇଥାଆନ୍ତି । ଆଜିର ଦିନରେ ଭାଗବତ ଭଳି ଏକ ମହାନ ଧର୍ମଗ୍ରନ୍ଥକୁ ଶୁକ ମୁନି ଆରମ୍ଭ କରିଥିଲେ । ସେହି ଦିନଠାରୁ ଏହି ଦିବସକୁ ଭାଗବତ ଜନ୍ମଭାବରେ ସମାଜରେ ପାଳିତ ହୋଇ ଆସୁଛି ବୋଲି ଜଣାପଡିଛି ।
ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, କୋଡାପଡା, ସୁଦସାହି, ମର୍ଜାକୁଦ ଓ କାଲେଶ୍ୱର ଗ୍ରାମରୁ ପ୍ରଭୁ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟ କୁ ନେଇ ସେଠାରେ ସଜ୍ଜିତ ହୋଇରହିଥିବା ଚାପ ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ ଚାପ କେଳି କରନ୍ତି ।
ଚାପ ଖେଳପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହା ସହ ଜିଲ୍ଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗ୍ରାମଗୁଡିକରେ ଥିବା ମଣ୍ଡପ ଗୁଡିକରେ ପୁଜା ହୋଇଥାଏ ।

Related Posts

Seo wordpress plugin by www.seowizard.org.