Odisha News

ଆସିଲା ‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି, ଏକ କୋଟି ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଲାଭ

ଓଡ଼ିଶା, ୨୩/୮ : ରାଜ୍ୟର ମହିଳାମାନଙ୍କୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ରାଜ୍ୟ ସରକାର ଯୋଗାଇଦେବେ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ୨ଟି କିସ୍ତିରେ ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ସେମାନେ ନିଜ ଇଚ୍ଛାରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ ।
ର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନଙ୍କୁ ବାଦ୍ ଦେଇ ରାଜ୍ୟର ୨୧ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନେ ଏହି ଟଙ୍କା ପାଇପାରିବେ ।
ପ୍ରାୟ ଏକ କୋଟିରୁ ଅଧିକ ମହିଳା ବର୍ଷକୁ ଏହି ୧୦ହଜାର ଟଙ୍କା ଲେଖାଏଁ ହାତଖର୍ଚ୍ଚ ଚଳିତ ଆର୍ଥିକ ବର୍ଷରୁ ପାଇବେ । ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ଗାଇଡଲାଇନକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ‘ସୁଭଦ୍ରା’ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୨୨ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ସୁଭଦ୍ରା’ ଯୋଜନାକୁ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ହୋଇଛି।୨୦୨୮-୨୯ ମସିହା ପର‌୍ୟ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ପାଇଁ ମୋଟ ୫୫୮୨୫ କୋଟିର ବଜେଟ୍ ଧାର‌୍ୟ୍ୟ ହୋଇଛି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ତାଙ୍କ ସରକାର ଅନ୍ତ୍ୟୋଦୟରେ ବିଶ୍ୱାସ କରନ୍ତି । ତେଣୁ ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳମାନଙ୍କୁ ଏହି ଯୋଜନାରୁ ବାଦ୍ ଦିଆଯିବ । ସେହିପରି କୌଣସି ଯୋଜନାରେ ଯଦି କେହି ମହିଳା ମାସିକ ୧୫୦୦ଟଙ୍କା ଅବା ତଦୁର୍ଦ୍ଧ୍ୱ ସହାୟତା ଅବା ବାର୍ଷିକ ୧୮ହଜାର ଟଙ୍କାରୁ ଅଧିକ ସହାୟତା ରାଶି ପାଉଥିବେ ତା’ହେଲେ ସେ ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ ।
ପ୍ରତ୍ୟେକ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଓ ଆନ୍ତର୍ଜାତିକ ମହିଳା ଦିବସରେ ୫ହଜାର ଟଙ୍କା ଲେଖାଏଁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯିବ । ତେଣୁ ୫ବର୍ଷରେ ଜଣେ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ସହାୟତା ପ୍ରଦାନରେ ସ୍ୱଚ୍ଛତା ଆଣିବା ପାଇଁ ଆଧାର ପେମେଂଟ ବ୍ରିଜ୍ ସିଷ୍ଟମ(ଏପିବିଏସ) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଡିବିଟି ବ୍ୟାଙ୍କ ଆକାଉଣ୍ଟାକୁ ସିଧାସଳଖ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ । ଏହାସହିତ ହିତାଧିକାରୀମାନଙ୍କୁ ‘ସୁଭ୍ରଦା’ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯିବ ।
ସେହିପରି ଡିଜିଟାଲ କାରାବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ପଂଚାୟତ ଓ ସହରାଂଚଳରେ ସର୍ବାଧିକ ପରିମାଣର ଡିଜିଟାଲ କାରବାର କରିଥିବା ୧୦୦ଜଣ ହିତାଧିକାରୀଙ୍କୁ ଚିହ୍ନଟ କରି ଅତିରିକ୍ତ ୫୦୦ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।
ଏହି ଯୋଜନାରେ ସାମିଲ ହେବା ପାଇଁ ମହିଳମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର‌୍ୟ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ । ସୁଭଦ୍ରା ଯୋଜନା ପାଇଁ ଏକ କଲ୍ ସେଂଟର ମଧ୍ୟ କାର‌୍ୟ୍ୟକ୍ଷମ ହେବ ।
ଏହି ଯୋଜନାକୁ କାର‌୍ୟ୍ୟକାରୀ ଓ ତଦାରଖ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଏକ ‘ସୁଭଦ୍ରା ସୋସାଇଟି’ ଗଠନ କରାଯିବ । ସୁଭଦ୍ରା ଯୋଜନାର ଶୁଭାରମ୍ଭ ଯଥାଶୀଘ୍ର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟର ଏହା ଦୂରଦୃଷ୍ଟି ସମ୍ପନ୍ନ ଓ ସୁଦୂରପ୍ରସାରୀ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟରେ କ୍ଷମତାକୁ ଆସିଲେ ମହିଳାଙ୍କୁ ୨ବର୍ଷରେ ୫୦ହଜାର ଟଙ୍କା ଖର୍ଚ୍ଚ କରିବାର ଭାଉଚର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା ।

Related Posts

Seo wordpress plugin by www.seowizard.org.