Odisha News

ବୌଦ୍ଧରେ ଜିଲାସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୭ : ବୌଦ୍ଧରେ ବିଶ୍ୱ ଜନସଂଖ୍ୟା ଦିବସ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ଅଭିଯାନ ଉପଲକ୍ଷେ ଆନ୍ତଃବିଭାଗୀୟ ଏକାଭିମୁଖୀ ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ସଭା ପୂର୍ବରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଜନସଂଖ୍ୟା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଦୃଶ୍ୟଶ୍ରାବ୍ୟ ଚିତ୍ର ସହାୟତାରେ ପରିବାର କଲ୍ୟାଣର ବିଭିନ୍ନ ଯୋଜନା ଓ ଏସବୁର ଉପକାରୀତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।
ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ ଡାଇରିଆ,ଯକ୍ଷ୍ମା,କୁଷ୍ଠ ,ହେପାଟାଇଟିସ ବି ର ପରୀକ୍ଷା ଓ ଚିକିତ୍ସା, ଓଆରଏସ ବଣ୍ଟନ,ଜିଙ୍କ ବଟିକା ବଣ୍ଟନ, ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ପାଇଁ ସମନ୍ୱିତ ସର୍ବେକ୍ଷଣ କରିବେ ଏବଂ ଆବଶ୍ୟକସ୍ଥଳେ ଟୀକାକରଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଚିକିତ୍ସାଳୟରେ ଅଧିକରୁ ଅଧିକ ନମୁନା ସଂଗ୍ରହ କରି ପରୀକ୍ଷଣ କରିବା,ଅପହଞ୍ଚ ଗ୍ରାମଗୁଡିକରେ ମଶାରୀ ବଣ୍ଟନ କରିବା ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ଶ୍ରୀସୋନାଲ ପରାମର୍ଶ ଦେଇଥିଲେ । ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖରେ ଚାଲିବ ।
ସେହିପରି ଜିଲ୍ଲାରେ ପରିବାର ନିୟୋଜନ ସେବା ପ୍ରଦାନ କରିବା ନିମନ୍ତେ ଦୁଇଟି ପକ୍ଷ ଭାବରେ ଏହାକୁ ପାଳନ କରାଯାଉଅଛି । ପ୍ରଥମ ପର୍ଯ୍ୟାୟରେ ସଚେତନତା ପକ୍ଷ ଜୁନ୍ ୨୭ ତାରିଖଠାରୁ ପାଳନ ହୋଇ ଆସୁଥିବା ବେଳେ ଜୁଲାଇ ୧୧ତାରିଖରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏହି ପକ୍ଷରେ ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ଗୁଡିକ ଯଥା; ପୁରୁଷ ଓ ମହିଳା ମାନଙ୍କ ସ୍ଥାୟୀ ବନ୍ଧ୍ୟାକରଣ ଓ ଅସ୍ଥାୟୀ ଗର୍ଭ ନିରୋଧକ ପଦ୍ଧତି ଅନ୍ତର୍ଗତ ମିଳୁଥିବା ସେବାଗୁଡିକୁ ମାଗଣାରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ କରାଯାଇଅଛି ।
ନୂତନ ଅସ୍ଥାୟୀ ଗର୍ଭନିରୋଧକ ରୂପେ ଗର୍ଭନିରୋଧକ ଇଂଜେକ୍ସନ୍ ଅନ୍ତରା ଓ ସାପ୍ତାହିକ ଗର୍ଭନିରୋଧକ ବଟିକା ଛାୟା ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଉପଲବ୍ଧ କରାଯାଇଛି । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବି,କେ.ଆର.ସି. ଦେଓ ହେମ୍ବ୍ରମ ଯକ୍ଷ୍ମା ଓ କୁଷ୍ଠ ରୋଗର ନିରାକରଣ ନେଇ ସଫଳତା ମିଳିଥିବାବେଳେ ଲୋକଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏଥିସହିତ ଜନସଂଖ୍ୟା ସ୍ଥିରତା ପକ୍ଷରେ ପଂଜିକୃତ ଦଂପତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବା ନିମନ୍ତେ ସୂଚନା, ଶିକ୍ଷା, ଯୋଗାଯୋଗ ପ୍ରକ୍ରିୟାରେ ଆନୁସଂଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଥିଲେ ।
ପରିବାର ଅସ୍ତ୍ରପ୍ରଚାରରେ ବୌଦ୍ଧଜିଲା ରାଜ୍ୟରେ ପଞ୍ଚମ ସ୍ଥାନରେ ରହିଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଆଶା ଭାବରେ ବିଷ୍ଣୁପ୍ରିୟା ଲେଙ୍କା,ଶ୍ରେଷ୍ଠ ସ୍ୱାସ୍ଥ୍ୟ କର୍ମୀ ଭାବରେ ବାଉଁଶୁଣୀର ଅଞ୍ଜନା ସ୍ୱାଇଁ ଏବଂ ନୁଆପାଲିର ନନ୍ଦିନି ପ୍ରଧାନ,ଶ୍ରେଷ୍ଠ ଡାକ୍ତର ଭାବରେ ପ୍ରଦୋଷ ମହାପାତ୍ର,ଶ୍ରେଷ୍ଠ ଅନ୍ତରା କାର୍ଯ୍ୟକ୍ରମ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡେଣିଗଡ ଓ ଶ୍ରେଷ୍ଠ ପରିବାର ବନ୍ଧ୍ୟାକରଣ କାର‌୍ୟ୍ୟକ୍ରମ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମନମୁଣ୍ଡାକୁ ଜିଲାପାଳ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ, ଜିଲ୍ଲା ଗଣମାଧ୍ୟମର ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲା ଉଦଦେଷ୍ଟା କମିଟି ବୈଠକ :ପୁଅଙ୍କ ତୁଳନା କମୁଛି ଝିଅଙ୍କ ସଂଖ୍ୟା
ବୌଦ୍ଧ,୧୨/୭ : ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବେଆଇନ ଲିଙ୍ଗ ନିରୁପଣ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା ଆଇନ ୧୯୯୪ ରୁ ଲାଗୁ କରାଯାଇଛି ।
ବୌଦ୍ଧ ଜିଲ୍ଲାରେ ୪ ଗୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପଂଜିକୃତ ହୋଇ କାର୍ଯ୍ୟ କରୁଅଛି । ଏହାବ୍ୟତୀତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମାଗଣାରେ ଅଲଟ୍ରାସାଉଣ୍ଡ ସେବା ଯୋଗାଇ ଦିଆଯାଉଅଛି । ସର୍ବେକ୍ଷଣ ଅନୁଯାୟୀ ବୌଦ୍ଧଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି ।
ଅପ୍ରେଲ ୨୩ ରୁ ମାର୍ଚ୍ଚ ୨୪ ମଧ୍ୟରେ ଜିଲାରେ ନବ ଜନ୍ମିତ ଝିଅଙ୍କ ସଂଖ୍ୟା ପୁଅ ତୁଳନାରେ କମ ରହିଥିବାବେଳେ ଏହାର କାରଣ ସଂପର୍କରେ ଅନୁଧ୍ୟାନ କରିବାକୁ ଓ ଝିଅଙ୍କ ସଂଖ୍ୟା କିପରି ବୃଦ୍ଧି କରାଯାଇପାରିବ ପଦକ୍ଷେପ ନେବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଚିକିତ୍ସାଳୟ ଗୁଡିକରେ ମାଗଣା ଅଲଟ୍ରାସାଉଣ୍ଡ ଉପଲବ୍ଧ କରାଇବା,ଆଶା ଓ ଅଙ୍ଗନବାଡି କର୍ମୀମାନେ ପ୍ରତ୍ୟେକ ଘରକୁ ଯାଇ ଦମ୍ପତିମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ତାଲିକାଭୁକ୍ତ କରାଇବା,ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକ ନିରୀକ୍ଷଣ କରିବା ଏବଂ କଣ୍ଟାମାଳ ବ୍ଳକର ରୋଗୀମାନଙ୍କୁ ନିକଟସ୍ଥ ସୁବର୍ଣ୍ଣପୁର ଜିଲା ମୁଖ୍ୟଚିକିତ୍ସାଳୟରେ ମାଗଣା ଅଲଟ୍ରାସାଉଣ୍ଡ ସୁବିଧା ଯୋଗାଇଦେବାକୁ ବୌଦ୍ଧଜିଲାପାଳ ଚିଠି ମାଧ୍ୟମରେ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଜଣାଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ବେସରକାରୀ କ୍ଲିନିକ୍ ଗୁଡିକ ଉପରେ ନଜର ରଖିବା ସହିତ ଲିଙ୍ଗ ନିରୁପଣ ଆଇନ ଉଲଂଘନ କରାଯାଉଥିଲେ ଦୃଢ କାର‌୍ୟ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।
ଶେଷରେ ଜିଲା ମୁଖ୍ୟଚିକିତ୍ସାଳୟର ଅଧ୍ୟକ୍ଷା ଡା. ସଂଘମିତ୍ରା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିବାବେଳେ ସହକାରୀ ପରିଚାଳକ (ଆଇନ ସଂପର୍କିତ) ସୌମ୍ୟରଞ୍ଜନ ମଲ୍ଲିକ କାର୍ଯ୍ୟକ୍ରମ ପରଚାଳନା କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ବି.କେ.ଆର.ସି ଦେଓ ହେମ୍ବ୍ରମ, ,ଡି.ପି.ଏଚ.ଓ ଡା. ମଦନ ମୋହନ ପ୍ରଧାନ, ଡା. ପ୍ରଦୋଷ ମହାପାତ୍ର, ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା କାର୍ଯ୍ୟ କ୍ରମ ପରିଚାଳକ ରୂପକ କୁମାର ମହାପାତ୍ର, ସହକାରୀ ପରିଚାଳକ ସୁଚନା ଓ ଶିକ୍ଷା ଯୋଗାଯୋଗ ମୃତ୍ୟଞୟ ଭୁଜବଳ, ସୁନୀଲ କୁମାର ନାଏକ, ତିନି ଗୋଟି ବ୍ଳକର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ୍ୟ ଏବଂ ବ୍ଳକ କାର୍ଯ୍ୟ କ୍ରମ ପରିଚାଳକ, ଓ ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.