Odisha News

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ଜିଲ୍ଲା କଂଗ୍ରେସ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୩ : ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ନେଇ ଦଳର ଇସ୍ତାହାର ପ୍ରକାଶ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଞ୍ଚାନନ ଦାଶ କଂଗ୍ରେସର ଇସ୍ତାହାର ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ରାଜ୍ୟରେ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେଉକି ନହେଉ ଉଭୟ ଦଳ ମଧ୍ୟରେ ରହିଥିବା ଭିତିରି ବୁଝାମଣା ସଂପର୍କରେ ରାଜ୍ୟବାସୀ ଅବଗତ ହୋଇସାରିଥିବାବେଳେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଛି । ରାଜ୍ୟରେ ବାହାର ରାଜ୍ୟର ଠିକାଦାରଙ୍କୁ ଲଗାଇ ଖଣି ଖାଦାନ ଲୁଟ୍‌ଠାରୁ ଆରମ୍ଭ କରି ସମସ୍ତ ନିର୍ମାଣ କାର୍ଯ୍ୟ ସେମାନଙ୍କ ଦ୍ୱାରା କରାଯାଉଅଛି ।
ଫଳରେ ରାଜ୍ୟର ଟଙ୍କା ବାହାର ରାଜ୍ୟକୁ ଚାଲିଯାଉଥିବାବେଳେ ଏଠାକାର ଯୁବକ,ଶ୍ରମିକ ସମସ୍ତେ ବେକାର ହେବାରେ ଲାଗିଛନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଦେଶପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରାଇଥିଲା ସେହି ଯୋଜନା ଗୁଡିକୁ କେବଳ ବିଭିନ୍ନ ନାମ ପରିବର୍ତନ କରି ବର୍ତମାନ ସରକାର ଚଳାଇଛନ୍ତି । ସେତେବେଳେ ଇଣ୍ଟରନେଟ , ବୈଦ୍ୟୁତିକ ଗଣମାଧ୍ୟମ ଓ ସାମଜିକ ଗଣମାଧ୍ୟମର ପ୍ରସାର ହୋଇନଥିବାରୁ କେନ୍ଦ୍ରର କଲ୍ୟାଣକାରୀ ଯୋଜନା ଗୁଡିକର ସେତେ ପ୍ରଚାର ହୋଇପାରିନଥିଲା ।
ରାଜ୍ୟରେ ଉତ୍ତମ ଶିକ୍ଷାନୁଷ୍ଠାନ ନାହିଁ କି ଉତ୍ତମ ଶିକ୍ଷା ବ୍ୟବସ୍ଥା ନାହିଁ । ବଡ ବଡ କମ୍ପାନୀକୁ କୋଟି କୋଟି ଟଙ୍କାର କର ଛାଡ କରାଯାଇ ଧନୀକ ଶ୍ରେଣୀ ବ୍ୟବହାର କରୁଥିବା ମୂଲ୍ୟବାନ ସାମଗ୍ରୀରେ ସ୍ୱଳ୍ପ ଜିଏସଟି ଓ ଗରିବ ଶ୍ରେଣୀର ଲୋକ ବ୍ୟବହାର କରୁଥିବା ସାମଗ୍ରୀରେ ୧୮ ପ୍ରତିଶତ ଜିଏସଟି ବ୍ୟବସ୍ଥା କରାଯାଇ ଗରିବଙ୍କୁ ଶୋଷଣ କରାଯାଉଅଛି । ତେଣୁ କଂଗ୍ରେସ ଏହିସବୁ ବ୍ୟବସ୍ଥାରେ ପରିବର୍ତନ ଚାହୁଁଅଛି । ଲୋକଙ୍କ ଆସ୍ଥାଭାଜନ ହୋଇ ବିଜେଡି ବିଜେପିକୁ କଡା ଟକ୍କର ଦେବା ସହିତ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବ ଏବଂ ରାଜ୍ୟବାସୀଙ୍କୁ ସୁଶାସନ ପ୍ରଦାନ କରିବ ବୋଲି ପ୍ରବକ୍ତା ଶ୍ରୀଦାଶ ପ୍ରକାଶ କରିଥିଲେ ।
ଦଳ ପକ୍ଷରୁ ଦିଆଯାଇଥିବା ଇସ୍ତାହାର ଅନୁଯାୟି କଂଗ୍ରେସ କ୍ଷମତାକୁ ଆସିଲେ ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା,କୃଷି ଋଣ ଛାଡ,କୃଷକମାନଙ୍କ ପାଇଁ ପେନସନ ୨୦୦୦ ଟଙ୍କା,ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ,୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି,ବେକାରି ଭତା ମାସିକ ୩୦୦୦ ଟଙ୍କା,ସମସ୍ତ ମହିଳା ସ୍ୱୟଂସହାୟିକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ,ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ମାସିକ ୨୦୦୦ ଟଙ୍କା,ପ୍ରତ୍ୟେକ ପରିବାରକୁ ୫୦୦ ଟଙ୍କାରେ ଗୋଟିଏ ଗ୍ୟାସ ସିଲିଣ୍ଡର,ସରକାରୀ କର୍ମଚାରୀ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା,ବାର୍ଦ୍ଧକ୍ୟ ଭତା,ବିଧବା ଭତା ଓ ଦିବ୍ୟାଙ୍ଗ ଭତା ମାସିକ ୨୦୦୦ ଟଙ୍କା ଓ ରାଜ୍ୟରେ ଜାତିଭିତିକ ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବାକୁ ପ୍ରତିଶୃତି ଦିଆଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲ୍ଲା ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର,ଉପସଭାପତି ସମରେଶ ମିଶ୍ର,ଗଣେଶ ଅଗ୍ରୱାଲା,ସମରେନ୍ଦ୍ର ମହାକୁଳ,ଅର୍ଜୁନ ମହାନନ୍ଦିଆ,ପଙ୍କଜ କର୍ଣ୍ଣ,ପ୍ରଦିପ ଦାସ, ବେଣୁ ଧର ମେହେରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
କମଳ ବାବାଙ୍କ ପରଲୋକ
ବୌଦ୍ଧ,୨୭/୩ : ବୌଦ୍ଧ ନୂଆସାହିର କମଳ କୁମାର ଦଳେଇଙ୍କ (୫୭) ବୟସରେ ପରଲୋକ ହୋଇଯାଇଛି । ସ୍ଥାନୀୟ ବୟନଶିଳ୍ପ କାର୍ଯ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା କମଳ ଜଣେ ପରୋପକାରୀ ମଣିଷ ଥିଲେ । ତାଙ୍କୁ ସ୍ନେହରେ ସମସ୍ତେ କମଳ ବାବା ବୋଲି ଡାକିଥାନ୍ତି । ଦୀର୍ଘଦିନ ହେଲା ସେ ପାକସ୍ଥଳୀ ଜନିତ ରୋଗରେ ପିଡିତ ଥିଲେ ।
ଶନିବାର ପ୍ରତ୍ୟୁଷରେ ତାଙ୍କର ପରଲୋକ ହୋଇଯାଇଥିଲା । ସାହି ବାସିନ୍ଦାମାନେ ନାମ ସଂର୍କିତନ କରି ତାଙ୍କ ମରଶରୀରକୁ ରାମଜାଙ୍ଗି ନିକଟସ୍ଥ ଶ୍ମସାନରେ ଶେଷକୃତ୍ୟ ସଂପର୍ଣ୍ଣ କରିଥିଲେ । କମଳଙ୍କ ପୁତୁରା ଅଂଶୁମାନ ଦଳେଇ ମୁଖାଗ୍ନି ପ୍ରଦାନ କରିଥିଲେ । କମଳ ବାବା ବିବାହ କରିନଥିବାବେଳେ ସରକାରୀ ଚାକିରୀ ସହିତ ଠାକୁରଙ୍କ ନାମ ସଂକିର୍ତନରେ ସମୟ କାଟୁଥିଲେ ।
ଏଥିସହିତ ସେ ଜିଲ୍ଲା କ୍ରିକେଟ ସଂଘର ଆଜୀବନ ସଦସ୍ୟସହ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ । ସ୍ୱର୍ଗତ ଦଳେଇଙ୍କ ବିୟୋଗରେ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ଥାନିୟ ଷ୍ଟାଡିୟମ ଠାରେ ସଂଘର ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଟିତ ହୋଇ ଯାଇଛି । ଏହି ଶୋକସଭାରେ ସଂଘର ସଂପାଦକ ଯୁଗଳ କିଶୋର ସାମଲଙ୍କ ସମେତ ଅନେକ ସଦସ୍ୟ ଓ କ୍ରିକେଟପ୍ରେମୀ ଉପସ୍ଥିତ ଥିଲେ ।
ବୌଦ୍ଧ କୋର୍ଟ ପରିସରରୁ ବାଇକ ଚୋରୀ ଅଭିଯୋଗ
ବୌଦ୍ଧ,୨୭/୩ : ବୌଦ୍ଧଜିଲ୍ଲା କୋର୍ଟ ପରିସରରୁ ଆଜି ସାକ୍ଷ୍ୟ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ ଚୋରୀ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ, ବୌଦ୍ଧଥାନା ଚଢିଗାଁ ଗ୍ରାମର ସୁରେନ୍ଦ୍ର ପ୍ରଧାନ(୫୬) ବୌଦ୍ଧ ଏସଡିଜେମ କୋର୍ଟଙ୍କ ନୋଟିସ ପାଇଁ ଆଜି ସାକ୍ଷ୍ୟ ପ୍ରଦାନ କରିବାକୁ ତାଙ୍କ ଜ୍ୱାଇଁଙ୍କ ବାଇକ ଧରି ଆସିଥିଲେ ।
ଜିଲ୍ଲା କୋର୍ଟ ପରିସରରେ ବାଇକକୁ ଲକ କରି ସାକ୍ଷ୍ୟ ଦେବାକୁ କୋର୍ଟ ମଧ୍ୟକୁ ଯାଇଥିଲେ । ସାକ୍ଷ୍ୟଦେଇ ଫେରିବା ପରେ ଗାଡି ରଖିଥିବା ସ୍ଥାନକୁ ଆସିଥିଲେ । କିନ୍ତୁ ସେଠାରେ ବାଇକ ନ ଥିଲା । ଗ୍ରାମର ଅନ୍ୟ ଦୁଇଜଣ ସହିତ ଆଖପାଖ ଅଂଚଳରେ ଖୋଜିଥିଲେ ହେଲେ ବାଇକ ପାଇନଥିଲେ । ଶେଷରେ କେହି ଦୁର୍ବୃର୍ତ ବାଇକ ଚୋରୀ ନେଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.