Odisha News

ଅନ୍‌ଲାଇନ୍ ଠକେଇର ଶିକାର: ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା କଳା କପଡା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୧୦: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍ଲାଇନ୍ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି।
ଏହାର ଫାଇଦା ନେଇ ଅନ୍ଲାଇନ୍ରେ ତାଙ୍କୁ ଠକାଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ସ୍ବାଧୀନ କୁମାର ସାହୁଙ୍କ ନାମରେ ଏକ ପାର୍ଶଲ ଆସିଥିଲା ସେ ଭାବିଲେ ଏହି ଅନ୍ଲାଇନ୍ ଅର୍ଡରଟି ସେ କରି ନ ଥିଲେ ପରେ ଭାବିଲେ ତାଙ୍କ ପରିବାରର କେହି ତାଙ୍କ ନାମରେ ଅର୍ଡର କରିଥିବେ।
ପରିବାର ଲୋକଙ୍କୁ ନ ପଚାରି ସେ ପାର୍ଶଲଟିକୁ ରିସିଭ୍ କରିବା ସହ ୧ ହଜାର ୪ ଟଙ୍କା ପୈଠ କରିଦେଲେ। ଘରକୁ ନେଇ ଖୋଲିବା ବେଳେ ସେଥିରୁ ଏକ କଳାକପଡ଼ା ବାହାରିଥିଲା। ଯାହାକି ତାଙ୍କ ପରିବାର ଫ୍ଲିପ୍କାର୍ଡରେ ଅର୍ଡର କରିଥିବା ବେଳେ ଯେଉଁ ପାର୍ଶଲଟି ଆସିଛି ସେହି କମ୍ପାନୀରୁ କୌଣସି ଅର୍ଡର ଦେଇ ନ ଥିବା ଜାଣିଥିଲେ।
ଉକ୍ତ ଅନ୍ଲାଇନ୍ ଏଜେନ୍ସିର ନାମ ଜେନ୍ନି କ୍ରିଏଶନ ଭବାନୀପାଟଣା, ରହିଥିବା ଠକେଇର ଶିକାର ହୋଇଥିବା ସ୍ବାଧୀନ କହିଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିବି ବୋଲି କହିଛନ୍ତି। ପ୍ରକାଶ ଯେ, ଚଳିତ ସପ୍ତାହରେ ଜିଲା ପୋଲିସ ପକ୍ଷରୁ ସାଇବର ଠକେଇରୁ ସୁରକ୍ଷା ପାଇବା ପାଇଁ ଦିନ ତମାମ ପ୍ରଚାର ପ୍ରସାର କରିଥିଲା। ସେଥିରେ ଅନ୍ଲାଇନ୍ କିଣା, ବ୍ୟାଙ୍କ ଆକାଉଣ୍ଟ ପାଇଁ କାହାରିକି ଓଟିପି ନ ଦେବା ନିଜ ଡାଟା ସାମାଜିକ ଗଣମାଧ୍ୟମରେ ନ ଜଣେଇବା ଆଦି ସଚେତନ କରାଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାର ନୂଆ ଉପାୟ କରିବାରେ ଲାଗିଛନ୍ତି।
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
କନ୍ଧମାଳ,୧୮/୧୦: ବୌଦ୍ଧ ଜିଲ୍ଲାର ତତ୍କାଳୀନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ତାଙ୍କୁ ଭୂବନେଶ୍ୱରର ବାଲିଅନ୍ତା ଅଞ୍ଚଳରୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଶ୍ରୀ ଦାଶ ୨୦୦୭ ମସିହାରେ ବୌଦ୍ଧଠାରେ ମାର୍କଫେଡର ଆଞ୍ଚଳିକ ମ୍ୟାନେଜର ଦାୟିତ୍ବରେ ଥିବା ବେଳେ ତାଙ୍କ ବିରୋଧରେ ତିଳା ଓ ହଳଦୀ ବିହନ କିଣାରେ ୯ ଲକ୍ଷ ୬୬ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦/୨୦୦୭ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ଏହା ପୂର୍ବରୁ ୨୦୦୬ ମସିହାରେ ସେ କାର୍ଯ୍ୟରୁ ବହିଷ୍କୃତ ହୋଇଥିଲେ।
ତେବେ ଅଭିଯୁକ୍ତ ଦାଶଙ୍କୁ ଧରିବାରେ ଭିଜିଲାନ୍ସ ବିଭାଗ ସଫଳ ହୋଇ ନ ଥିଲେ। ପରେ ତାଙ୍କ ନାମରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ଜାମିନ ବିହୀନ ଓ୍ବାରେଣ୍ଟ ଜାରୀ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା।
ତେବେ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ସହ ମୋବାଇଲ ନମ୍ବର ପରିବର୍ତ୍ତନ କରି ଚାଲିଥିଲେ। ଭିଜିଲାନ୍ସ ପକ୍ଷରୁ ନଜର ରଖାଯିବା ସହ ମୋବାଇଲ ନମ୍ବର ଟ୍ରାକିଙ୍ଗ କରାଯାଇ ସେ ଭୂବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଥିବା ଜଣାପଡିବା ପରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଏକ ପ୍ରେସ ବିବୃତିରେ କୁହାଯାଇଛି।
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ୍
ବାଲିଗୁଡା,୧୮/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁର ଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠ ବୋଝେଇ ଟ୍ରକ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡିଛି । ଟ୍ରକ ଟିର ବିଶେଷ କ୍ଷତି ହୋଇଥିଲେ ହେଁ ସାମାନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଡ୍ରାଇଭର୍ ଜଣଙ୍କ ଜ୍ଝ ଉକ୍ତ ଟ୍ରକ ଟି ଝାଡ଼ଖଣ୍ଡ କୁ ଯାଉଥିବା ବେଳେ ଘାଟିରେ ଟ୍ରକ୍ ର ବ୍ରେକ୍ ଓ ଷ୍ଟିଅରିଂ କାମ ନ କରିବା ଫଳରେ ଏହି ଦୁର୍ଘଟଣା ଘଟିଥବା ବିଷୟ କୁହାଯାଉଛି ।
ଆହତ ଡ୍ରାଇଭର୍ ଜଣ ଙ୍କ ଘର ବିହାର ଅଞ୍ଚଳ ରେ ବୋଲି ଜଣାପଡିଛି। ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Related Posts

Seo wordpress plugin by www.seowizard.org.