Odisha News

ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଶୈଳେନ୍ଦ୍ରନାଥ ଜେନାଙ୍କ ହତ୍ୟା ଘଟଣା: ଆତ୍ମସମର୍ପଣ କଲେ ଦୁଇ ଅଭିଯୁକ୍ତ

ନୂଆଗାଁ/କଟକ,୨୨/୧୨: କଟକରୁ ନିଖୋଜ ହୋଇଥିବା ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଶୈଳେନ୍ଦ୍ରନାଥ ଜେନାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ଜଡ଼ିତ ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ କରିଥିବାର ଖବର ମିଳିଛି ।
ଉଭୟେ ସଂପର୍କରେ ବାପ ଓ ପୁଅ। ଓଡ଼ଗାଁ ଥାନାର ବାହାଡ଼ାଝୋଲା ଫାଣ୍ଡିରେ ମୁଖ୍ୟ ଅଭିଯୁକ୍ତ ଦୀପୁ ସାହୁ ଓ ତାର ବାପା ଭାବ ସାହୁ ଆଜି ଭୋର ସମୟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଉଭୟଙ୍କୁ ଓଡ଼ଗାଁ ଥାନାକୁ ଆଣି ପଚରାଉଚରା କରୁଥିବାର ସୂଚନା ରହିଛି।
ସୂଚନାଯୋଗ୍ୟ, ନୟାଗଡ଼ ମହିପୁରରେ ଦହିବରା ବ୍ୟବସାୟୀ ଦୀପୁ ସାହୁର ଘର ଭିତରେ ଶୈଳେନ୍ଦ୍ରନାଥ ଜେନାଙ୍କୁ ହତ୍ୟା କରାଯିବା ପରେ ଜଙ୍ଗଲକୁ ନେଇ ତାଙ୍କୁ ଜଳାଇ ଦିଆଯାଇଥିଲା। ସେଠାରେ ତାଙ୍କ ଖପୁରୀ ଓ ହାଡ଼କୁ ମାର୍ତୁଲରେ ଗୁଣ୍ଡ କରି ଭଙ୍ଗାଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଏହି ଗୁଣ୍ଡକୁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ ହୋଇଥିଲା।
କେନ୍ଦ୍ରାପଡ଼ା ପାଟକୁରାର ଦୋଳଗୋବିନ୍ଦ ଜେନାଙ୍କ ପୁଅ ଶୈଳେନ୍ଦ୍ରନାଥ ଜେନା ଗତ ୩ ତାରିଖ ଅପରାହ୍ନରେ ବକ୍ସିବଜାରର ଜଣେ ବନ୍ଧୁ ଜୟପ୍ରକାଶ ସାହୁଙ୍କ ସହିତ ଦୀପୁର ଘରକୁ ଯାଇଥିଲେ।
ସେବେଠାରୁ ଆଉ ଫେରି ନଥିଲେ। ଶୈଳେନ୍ଦ୍ର ୩ ତାରିଖ ରାତି ପ୍ରାୟ ୯ଟା ୩୦ ବେଳେ ପହଞ୍ଚିବା ପରେ ସେଠାରେ ଦୀପୁ ସମେତ ତାଙ୍କ ବାପା, ପତ୍ନୀ ଓ ଅନ୍ୟ ଜଣେ ବନ୍ଧୁ ମିଶି ଲୁହାରଡରେ ତାଙ୍କୁ ପିଟିପଟି ହତ୍ୟା କରିଥିବା କୁହାଯାଉଛି।
ହତ୍ୟା କରାଯିବା ପରେ ଘର ଭିତରେ ଶୈଳେନ୍ଦ୍ରଙ୍କ ପୋଷାକ ପୋଡ଼ିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଗୁଣ୍ଡ କରି ଦେଇଥିଲେ। ଅଭିଯୁକ୍ତମାନେ ନିଜ ନିଜ ମୋବାଇଲ୍ ଫୋନ୍ ବି ଭାଙ୍ଗିଦେଇଥିବା କୁହାଯାଉଥିଲା।
ପ୍ରଥମେ ଘର ଭିତରେ ପୋତିବାକୁ ଗାତ ଖୋଳିଥିଲେ। ପରେ କିନ୍ତୁ ଯୋଜନା ବଦଳାଇ ତାଙ୍କ ଶବକୁ ଘରଠାରୁ ୪ କିମି ଦୂର ଏକ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଏକ ପାଳ ଗଦା ନିକଟରେ ତାଙ୍କୁ ପୋଡ଼ି ଦେଇଥିଲେ।
ପୋଡ଼ିଲା ପରେ ମୁଣ୍ଡ ଖପୁରୀ ଓ ହାଡ଼ ଭାଙ୍ଗି ଏହି ଗୁଣ୍ଡକୁ ପୋଖରୀରେ ପକାଇଥିବା ସମ୍ପର୍କରେ ଦୀପୁର ପତ୍ନୀ ନୂଆଗାଁ ଥାନା ପୁଲିସ ସାମ୍ନାରେ ସ୍ବୀକାର କରିଥିଲା।ଦୀପୁର ପତ୍ନୀ ସୁନୀତା ସାହୁ ଓ ଗ୍ୟାରେଜ ମିସ୍ତ୍ରି ସୁରି ଓରଫ ସୁରେଶ ସାହୁକୁ ପୁଲିସ କାବୁ କରିଥିଲା। ଏହି ହତ୍ୟାକାଣ୍ଡ ପରେ ସମ୍ପୃକ୍ତ ଦୀପୁ ଓ ତା’ ବାପା ଭାବ ସାହୁ ଫେରାର୍ ଥିଲେ।

Related Posts

Seo wordpress plugin by www.seowizard.org.