Odisha News

୫୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ଏଟିଏମ ଗାଡି ଡ୍ରାଇଭର

ନୂଆପଡ଼ା,୬/୭: ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଲା ଡ୍ରାଇଭର। ବୁଧବାର ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି। ହେଲେ ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ପର୍ତ୍ତା ପାଉନି।
ସିନାପାଲି ଓ ବୋଡେନ୍ ଅଞ୍ଚଳରେ ଥିବା ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ଶାଖାରୁ ଟଙ୍କା ଯିବାର ଥିଲା। ସେଥିପାଇଁ ଏଟିଏମ୍ରେ ଟଙ୍କା ନେଉଥିବା ସିଏମ୍ଏସ୍ କମ୍ପାନୀ ଗାଡ଼ି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ ଆଗରେ ଲାଗିଥିଲା।
ଗାଡ଼ିରେ ପ୍ରାୟ ୫୭ ଲକ୍ଷ ଟଙ୍କା ରଖାଯାଇଥିଲା। ପରେ ଦୁଇ ଏଟିଏମ୍ କର୍ମଚାରୀ କୌଣସି କାମରେ ବ୍ୟାଙ୍କ ଭିତରକୁ ଯାଇଥିବା ବେଳେ ସିକ୍ୟୁରି ଗାର୍ଡ ପରିଶ୍ରା କରିବା ପାଇଁ ଯାଇଥିଲେ।
ଏହାର ସୁଯୋଗ ନେଇ ଡ୍ରାଇଭର ଟଙ୍କା ଭର୍ତ୍ତି ଗାଡ଼ି ଧରି ଚମ୍ପଟ ମାରିଥିଲା। ଗାଡିଟି କଣ୍ଟାବାଞ୍ଜି ଅଞ୍ଚଳକୁ ଯାଇଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଜଣାପଡ଼ିଲା, ଟଙ୍କା ଭର୍ତ୍ତି ଗାଡ଼ିଟି ନୂଆପଡ଼ା-ବଲାଙ୍ଗିର ସୀମା ଭରୁଆକାନି ଜଙ୍ଗଲ ନିକଟରେ ଅଟକିଛି।
ଏହା ପରେ ପୁଲିସ ଉକ୍ତ ଗାଡିଟିକୁ ଜବତ କରିଥିଲା। ମାତ୍ର ସେଥିରେ ଟଙ୍କା ନଥିବା ଦେଖିବାକୁ ମିଳିଥିଲା। ଡ୍ରାଇଭର ସବୁ ଟଙ୍କା ଧରି ଚମ୍ପଟ ମାରିଥିବା ଆଲୋଚନା ହେଉଛି। ଖଡ଼ିଆଳ ଓ ତୁରେଇକେଲା ଥାନା ପୁଲିସ ମାମଲାର ତଦନ୍ତ ଚଳାଇଛି। ଦୁଇ ଏଟିଏମ୍ କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି।
ସୂନାରୁ ପ୍ରକାଶ, ସବୁଦିନ ସିଏମ୍ଏସ୍ ଗାଡ଼ି ଚଳାଉଥିବା ଡ୍ରାଇଭର ଆଜି ଛୁଟିରେ ଥିଲେ। ତାଙ୍କ ସ୍ଥାନରେ କମ୍ପାନୀ ଜଣେ ଅସ୍ଥାୟୀ ଡ୍ରାଇଭରଙ୍କୁ ପଠାଇ ଥିଲେ। ଆଉ ସେହି ଡ୍ରାଇଭର ଏବେ ଟଙ୍କା ଧରି ଚମ୍ପଟ ମାରିଲା।

Related Posts

Seo wordpress plugin by www.seowizard.org.