୩ ମହିଳା ନକ୍ସଲ ଗିରଫ, ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଟଙ୍କା ପୁରସ୍କାର
ମାଲକାନଗିରି, ୨୮/୧୨ : ମାଓବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଭିଯାନ ସଫଳ ହେବାରେ ଲାଗିଛି । ଜଣକ ପରେ ଜଣେ ମାଓବାଦୀଙ୍କୁ ଧରିବାରେ ସଫଳ ହେଉଛି ସୁରକ୍ଷାବାହିନୀ ।
ଶନିବାର ମାଲକାନଗିରି ଜିଲ୍ଲାରୁ ୩ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ମାଓବାଦୀହେଲେ ସ୍ୱପ୍ନା, ସୁନୀତା ଏବଂ ବବିତା । ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ।
ଡିଆଇଜି ନୀତି ଶେଖରଙ୍କ ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ାରେ ମାଓବାଦୀଙ୍କ ଗତିବିଧି ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ।
ଏହା ପରେ ଡିଭିଏଫ୍ ଓ ଚିତ୍ରକୋଣ୍ଡା ପୋଲିସର ଟିମ୍ ମିଳିତଭାବେ ଗୁଣ୍ଠାବେଡ଼ାରେ ଯୋଜନାବଦ୍ଧଭାବେ ପ୍ରବେଶ କରିଥିଲା ।
ଏହି ସମୟରେ ସେଠାରେ ଥିବା ଅଧିକାଂଶ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ସ୍ୱପ୍ନା, ସୁନିତା ଏବଂ ବବିତାକୁ ଧରିବାରେ ପୋଲିସ ସଫଳ ହୋଇଥିଲା । ତିନି ଜଣଯାକ ସ୍ୱାଭିମାନ ଅଞ୍ଚଳରୁ ଧାକରପଡ଼ା ଗ୍ରାମର ବୋଲି ଜଣାପଡ଼ିଛି ।
ଏମାନଙ୍କ ମୁଣ୍ଡ ଜାମିନ ରହିଥିଲା । ସ୍ୱପ୍ନାକୁ ଧରାଇଦେବାକୁ ପୋଲିସ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ସୁନୀତା ଓ ବବିତାକୁ ଧରାଇ ଦେବାକୁ ୨ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା ହୋଇଥିଲା ।
ଏମାନେ ଅନେକ ମାଓ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିଲେ । ସ୍ୱପ୍ନା ଏରିଆ କମିଟି ସଦସ୍ୟଭାବେ କାର୍ଯ୍ୟ କରୁଥିଲା ।
ସେ ୨୦୧୮ରୁ ମାଓ ସଂଗଠନରେ ସାମିଲ ହୋଇଥିଲା । ଖାଲି ଓଡ଼ିଶା ନୁହେଁ ବରଂ ପଡ଼ୋଶୀ ଛତିଶଗଡ଼ରେ ମଧ୍ୟ ସେ ବେଶ ସକ୍ରିୟା ଥିଲା । ତେବେ ଏହି ତିନି ମାଓବାଦୀ ଗିରଫ ହେବା ପରେ ମାଓ ବିରୋଧୀ ଅଭିଯାନରେ ପୋଲିସର ମନୋବଳ ବୃଦ୍ଧି ପାଇଛି ।