Odisha News

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୧୧ ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର, ୨୯/୯: ପଶ୍ଚିମ କେନ୍ଦ୍ରୀୟ ତଥା ଆନ୍ଧ୍ର ଉପକୂଳ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ଲାଗିରହିଛି ।
୧ ତାରିଖରୁ ବର୍ଷାର ପରିମାଣ ବଢିବା ସହ ୨ ଅକ୍ଟୋବର ମହାସପ୍ତମୀରୁ ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଉପକୂଳର ସମସ୍ତ ୧୧ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କେନ୍ଦୁଝର, ମୟୁରଭଞ୍ଜ ସହ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପରେ ୩ ଅକ୍ଟୋବର ମହାଷ୍ଟମୀରେ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ସାରା ରାଜ୍ୟରେ ବର୍ଷାର ପରିମାଣ ବଢିବ । ଏଥିପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଜାରି ହୋଇଥିବା ସତର୍କ ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୩୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଓଡିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ବଜ୍ରପାତ ହେବାର ସମ୍ଭାବନା ରହିଛି।
ତେବେ, ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ, ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୨୦ଟି ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଟ୍ଵିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ବଜ୍ରପାତ ସହ ହାଲୁକା ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ମେଘାଛନ୍ନ ରହିବା ସହ ଅସରାଏ ଦୁଇଅସରା ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି।
ସେହିପରି କଟକ ଓ ଏହାର ଆଖପାଖ ଅଞ୍ଚଳର ଆକାଶ ମେଘାଛନ୍ନ ରହିବା ସହ ବିଜୁଳି, ଘଡ଼ଘଡ଼ି ସହ ଅସରାଏ ଦୁଇଅସରା ବର୍ଷାର ସମ୍ଭାବନା ରହିଛି ବୋଲି ଜାରି ସତର୍କ ସୂଚନାରେ କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

Related Posts

Seo wordpress plugin by www.seowizard.org.