Odisha News

୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ, ଉତ୍ସବରେ ୨୦୦୦ରୁ ଅଧିକ କଳାକାର ସାମିଲ

ବର୍ମିଂହାମ,୨୯/୭: ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଖି ଝଲସିଗଲା ଭଳି ଆତସବାଜିରେ ଆରମ୍ଭ ହୋଇଛି ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ।
ବର୍ମିଂହାମର ଆଲେକଜାଣ୍ଡର ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହୋଇଥିଲା । ୨୦୦୦ରୁ ଊର୍ଦ୍ଧ୍ୱ କଳାକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଇଂଲଣ୍ଡର କଳା, ସଂସ୍କୃତି, ନୃତ୍ୟ ଓ ଗୀତର ଛାପ କାର‌୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା । ୨୦୧୨ ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ଠାରୁ ଏହା ଅଧିକ ଚିତାକର୍ଷକ ରହିଥିଲା ।
୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ମୋଟ୍ ୭୨ଟି ଦେଶରୁ ୫,୦୫୪ କ୍ରୀଡ଼ାବିତ ସାମିଲ ହୋଇଛନ୍ତି । ୨୦ଟି କ୍ରୀଡ଼ାର ମୋଟ୍ ୨୮୦ଟି ଇଭେଣ୍ଟରେ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବ ।
ଏହି ସଂସ୍କରଣରେ ପ୍ରଥମ ଥର ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍କୁ ସାମିଲ କରାଯାଇଛି । ୧ ୯ ୩ ୦ ରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହୋଇଥିଲା । ୧୯୩୪ରୁ ଭାରତ କ୍ରୀଡ଼ାରେ ଭାଗ ନେଇ ଆସୁଥିଲେ ବି ୧୯୫୦, ୧୯୬୨ ଓ ୧୯୮୬ କ୍ରୀଡ଼ାରୁ ଓହରି ଯାଇଥିଲା ।
ବର୍ମିଂହାମ କ୍ରୀଡ଼ାରେ ୨୧୫ ଜଣିଆ ଭାରତୀୟ ଦଳ ଭାଗ ନେଇଛି । ଏଥିରେ ୧୧୧ ପୁରୁଷ ଓ ୧୦୪ ମହିଳା କ୍ରୀଡ଼ାବିତ ସାମିଲ ରହିଛନ୍ତି । ଗତ ୨୦୧୮ ସଂସ୍କରଣରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ମୋଟ୍ ୬୬ଟି ପଦକ ଜିତିଥିଲା ।
କୋଭିଡ୍ର ପ୍ରଭାବ ସତ୍ତ୍ୱେ କ୍ରୀଡ଼ାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ଆୟୋଜକଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି । ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ୩୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ କ୍ରୀଡ଼ା ପାଇଁ ନିୟୋଜିତ ହୋଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରାଣୀ ଏଲିଜାବେଥ୍ ୨ କାର‌୍ୟ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ସ୍ୱାସ୍ଥ୍ୟଗତ କାରଣରୁ ସେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । କ୍ରୀଡ଼ା ଉଦ୍ଘାଟନ ହେବା ପରେ ୨୯ ତାରିଖରୁ ପଦକ ଇଭେଣ୍ଟ ଆରମ୍ଭ ହେବ । ଅଗଷ୍ଟ ୮ ତାରିଖରେ କ୍ରୀଡ଼ା ଉଦ୍ୟାପିତ ହେବ ।

Related Posts

Seo wordpress plugin by www.seowizard.org.