Odisha News

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ଧାର୍ଯ୍ୟ ସମୟଠାରୁ ୧ ମାସ ବଢ଼ାଇବାକୁ ହାଇକୋର୍ଟଙ୍କୁ କହିଲେ ସରକାର

କଟକ,୩୦/୯: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା।
ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ ।
ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରାଯିବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିଲା ସେମାନଙ୍କ ଛାତିରେ ଛନକା ପଶିଥିଲା। କାରଣ ନୂଆ ନମ୍ବରପ୍ଲେଟ୍ ନ ଲଗାଇଥିଲେ କିମ୍ବା ସ୍ଲଟ୍ ବୁକିଂ କରି ନ ଥିଲେ ଆସନ୍ତାକାଲିଠୁ ମୋଟା ଅଙ୍କର ତଣ୍ଡ ଗଣିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସଫାସଫା କୁହାଯାଇଥିଲା।
ତେଣୁ ଗାଡ଼ି ଘରେ ରଖିବେ ନା ବାହାର କରି ଫାଇନ୍ ଗଣିବେ ସେ ନେଇ ଦ୍ୱନ୍ଦ୍ୱରେ ଥିଲେ ଗାଡ଼ି ଚାଳକ । ହେଲେ ହାଇକୋର୍ଟରେ ଶୁଣାଣି ପରେ ଆଜି ସେ ଦ୍ୱନ୍ଦ୍ୱ ଦୂର ହୋଇଛି ଓ ସାଧାରଣ ଲୋକେ ଆଶ୍ୱସ୍ତ ହୋଇଛନ୍ତି।
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ୨ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଥିଲେ ହାଇକୋର୍ଟ।
ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଭିତ୍ତିଭୂମି ନ ଥାଇ ଡେଡଲାଇନ୍ କିଭଳି ଦେଲ ବୋଲି ମଧ୍ୟ କୋର୍ଟ ପଚାରିଥିଲେ।
ତା’ଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ। ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଆଜି ଶୁଣାଣି ହୋଇଥିବା ବେଳେ ଗାଡ଼ି ଚାଳକଙ୍କୁ ମିଳିଛି ଆଶ୍ୱସ୍ତି ।

Related Posts

Seo wordpress plugin by www.seowizard.org.