Odisha News

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିବାହିତ ଝିଅ ପାଇବେ ଅନୁକମ୍ପା ମୂଳକ ଚାକିରୀ

କଟକ,୨୯/୧୦: ଚାକିରି କାଳ ମଧ୍ୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ପୁଅ ଓ ଅବିବାହିତ ଝିଅଙ୍କ ପରି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ନିଯୁକ୍ତି । ଏହାକୁ ନେଇ ରହିବନି କୌଣସି ପାତରଅନ୍ତର। ଏପରି ଐତିହାସିକ ରାୟ ଦେଇଛନ୍ତି କଟକ ହାଇକୋର୍ଟ।
ବହୁ ବର୍ଷ ଧରି ଚାଲି ଆସୁଥିବା ଏହି ନିୟମକୁ ଭାଙ୍ଗି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଏଥିସହ ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।
ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି କହିଛନ୍ତି ହାଇକୋର୍ଟ । ଏହାକୁ ନେଇ ବିବାହିତ ଝିଅଙ୍କ ନିଯୁକ୍ତିକୁ ବିଚାରକୁ ନନେବା ନୀତିକୁ ମଧ୍ୟ ରଦ୍ଦ କରିଛନ୍ତି । ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ।
ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ବାସନ୍ତୀ ନାୟକଙ୍କ ବାପା ପ୍ରାଥମିକ ସ୍କୁଲ ଶିକ୍ଷକ ଥିବା ବେଳେ ୨୦୦୧ ଫେବୃୟାରୀ ୨୩ରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଆବେଦନକାରୀ ବାସନ୍ତୀଙ୍କ ସମେତ ୨ ଝିଅ ଥିଲେ। ଆବେଦନକାରୀ ଯୁକ୍ତ ୨ ପାସ୍ କରିଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ତୃତୀୟ ଶ୍ରେଣୀ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦରଖାସ୍ତ ଦାଖଲ କରିଥିଲେ। ଏଥିପାଇଁ ତାଙ୍କ ମା’ ଓ ଭଉଣୀଙ୍କ ସମ୍ମତି ଥିଲା।
ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପ୍ରକାଶିତ ତାଲିକାରେ ବାସନ୍ତୀଙ୍କ ନାଁ ସ୍ଥାନ ପାଇଥିଲା। ଏହାପରେ ହୋଇଥିବା ଯାଞ୍ଚରେ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଥିବା ସତ୍ତ୍ୱେ ତାଙ୍କୁ ନିଯୁକ୍ତି ମିଳି ପାରି ନ ଥିଲା। ଏହାପରେ ଆବେଦନକାରୀଙ୍କ ଦରଖାସ୍ତକୁ ସ୍କୁଲ ଇନ୍ସପେକ୍ଟର ୨୦୦୮ ଏପ୍ରିଲ ୮ରେ ଖାରଜ କରି ଦେଇଥିଲେ।
୨୦୦୭ ଏପ୍ରିଲ ୨୪ ବିଜ୍ଞପ୍ତି ଅନୁସାରେ ଆବେଦନକାରୀ ବିବାହିତା ହୋଇଥିବାରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିଲା। ଶେଷରେ ହାଇକୋର୍ଟ ୨୦୦୮ ଏପ୍ରିଲ ୮ର ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ଏଥିସହ ଏହି ଘଟଣାକୁ ପୁନଃ ବିଚାରକୁ ନେଇ ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.