Odisha News

ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ ,ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଫାଇନ୍ : ବିଏମସି କମିଶନର

ଭୁବନେଶ୍ୱର,୧୦/୧୦: ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ବିଶେଷ କରି ବିଭିନ୍ନ ପରିବା ହାଟରେ ଦୋକାନୀମାନେ ଅଧିକ ଅଳିଆ କରୁଥିବାରୁ ଆଜି ଶ୍ରୀ କୁଲାଙ୍ଗେ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ରାଜଧାନୀର ଏକ ନମ୍ବର ହାଟରେ ବ୍ୟବସାୟୀଙ୍କୁ ବାରମ୍ବାର ସଚେତନ ଓ ପରାମର୍ଶ ପରେ ମଧ୍ୟ ସେମାନେ କିଛି ବି ଶୁଣୁ ନାହାନ୍ତି। ଏଠାରେ ପରିବା ବ୍ୟବସାୟ କରୁଥିବା ଦୋକାନୀମାନେ ଏଣେତେଣେ ଅଳିଆ ଫିଙ୍ଗୁଛନ୍ତି।
ପଚାପରିବା ଓ ଚୋପା ସେମାନେ ରାସ୍ତାରେ ପିଙ୍ଗି ମାର୍କେଟକୁ ଅପରିଷ୍କାର କରୁଛନ୍ତି। ଏହି ଅଭ୍ୟାସକୁ ବଦଳାଇବା ପାଇଁ ଆଜି କମିଶନର ବ୍ୟବସାୟୀଙ୍କୁ ଜୋରିମାନାର ଧମକ ଦେଇଛନ୍ତି। ଆଗକୁ ଯଦି ପଚାପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ କେହି ରାସ୍ତା କୁ ଫିଙ୍ଗିବେ ତା’ହେଲେ ସେମାନଙ୍କୁ ୫୦୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ସେହିପରି ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା ଡଷ୍ଟବିନ୍ରେ ପକାଇବାକୁ ପଡ଼ିବ। ଯଦି କେହି ଅଳିଆ ଅଲଗା ଅଲଗା ନ ପାଇବେ, ତା’ହେଲେ ସେମାନଙ୍କୁ ମଧ୍ୟ ୫୦୦ ଟଙ୍କା ଜୋରିମାନା ଭରିବାକୁ ପଡ଼ିବ ବୋଲି କମିଶନର କୁଲାଙ୍ଗେ କହିଛନ୍ତି।
ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ଗତକାଲି ରାତି ପ୍ରାୟ ୧୦ଟାରୁ ୧ଟା ଯାଏ ମୁଁ ବିଭିନ୍ନ ମାର୍କେଟରେ ବୁଲୁଥିଲି। ଏହି ସମୟରେ ବ୍ୟବସାୟୀଙ୍କ ସବୁ ହରକତ ମୁଁ ଦେଖିବାକୁ ପାଇଥିଲି। ସେମାନେ ଦୋକାନ ବନ୍ଦ କରିବା ବେଳେ ସବୁ ଅଳିଆକୁ ପୂରା ରାସ୍ତା ଉପରେ ଆଣି ଅଜାଡ଼ି ଦେଉଛନ୍ତି।
ପୂରା ମାର୍କେଟକୁ ଅପରିଷ୍କାର କରୁଛନ୍ତି। ୟୁନିଟ-୧ ମାର୍କେଟରେ ଆମେ ବାରମ୍ବାର ଅଳିଆ ଏଣେତେଣେ ନ ପକାଇବାକୁ ସଚେନତା କାର‌୍ୟ୍ୟକ୍ରମ କରିଥିଲୁ। ତଥାପି ସେମାନେ କିଛି ବି ଶୁଣୁ ନାହାନ୍ତି। ଯଦି ବ୍ୟବସାୟୀମାନେ ବିଏମସିକୁ ଅଳିଆ ଡଷ୍ଟବିନରେ ଦେବେ ନାହିଁ, ତା’ହେଲେ ଆମେ ମଧ୍ୟ ଅଳିଆ ଉଠାଇବୁ ନାହିଁ।
ସବୁ ବ୍ୟବସାୟୀଙ୍କୁ ଦୁଇଟି ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। ବ୍ୟବସାୟ ବେଳେ ବାହାରୁଥିବା ଓଦା ଓ ଶୁଖିଲା ଅଳିଆକୁ ଅଲଗା ଅଲଗା ଡଷ୍ଟବିନରେ ରଖିବାକୁ ପଡ଼ିବ। ଯଦି ଏବେ ଠାରୁ ଦୋକାନ ପାଖରେ ଯେଉଁମାନେ ଡଷ୍ଟବିନ ନ ରଖିବେ, ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ପଡ଼ିବ।
ସେହିପରି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା ନ ଦେଲେ ୫୦୦ ଟଙ୍କା ଫାଇନ ଲାଗିବ। ମାଇକ୍ରୋ କମ୍ପୋଜ ସେଣ୍ଟର(ଏମସିସି) ଓ ପ୍ରତି ୱାର୍ଡରେ ତିଆରି ହୋଇଥିବା ମ୍ୟାଟ୍ରିଆଲ ରିକଭରି ଫ୍ୟାସିଲିଟି(ଏଆରଏ) ଏଗୁଡ଼ିକୁ ପୂରା ଦକ୍ଷତାର ସହ ଚଳାଇବା ପାଇଁ ଅଲଗା ଅଲଗା ଅଳିଆ ନିହାତି ଜରୁରୀ। ଏଥିସହ ୧୦୦% ଡୋର ଟୁ ଡୋର ଅଳିଆ ସଂଗ୍ରହ ନିହାତି ଆବଶ୍ୟକ।
ରୋଡରେ ଯଦି ଅଳିଆ ପକାଯିବ, ତା’ହେଲେ ଅଲଗା ଅଲଗା କରିବା ଅସମ୍ଭବ ହୋଇଯିବ। ଯଦି ଅଳିଆ ଅଲଗା ଅଲଗା ନଥିବ, ତା’ହେଲେ ପ୍ରୋସେସିଂ ହୋଇପାରିବ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ଓ ରାଜଧାନୀ କୁ ପରିଷ୍କାର ରଖିବା। ଏଥି ପାଇଁ ଜନସାଧାରଣଙ୍କ ସହଯୋଗ ଦରକାର।”
ସେହିପରି କାଲିଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଥିବା ଅଣ୍ଡର ୧୭ ଫିଫା ବିଶ୍ୱକପ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ଶ୍ରୀ କୁଲାଙ୍ଗେ। ବିଶ୍ୱକପ ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଭିତରେ ୫୦ ସାନିଟାଇଜ ଷ୍ଟାଫ , ୩ ଜଣ ସୁପର ଭାଇଜର, ଜଣେ ସିନିୟର୍ ସୁପର ଭାଇଜର ଓ ଜଣେ ସହଯୋଗୀ ଅତିରିକ୍ତ କମିଶନର ନିୟୋଜିତ ରହିବେ। ଷ୍ଟାଡିୟମ ଭିତରେ ଶୁଖିଲା ଓ ଓଦା ଅଳିଆ ପକାଇବା ପାଇଁ ଗ୍ରୀନ ଗାର୍ବେଜର ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମ ଭିତର ଓ ବାହାରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।

Related Posts

Seo wordpress plugin by www.seowizard.org.