Odisha News

ସୁକିନ୍ଦା ସମସ୍ୟା ବଢୁଛି, ଆଇନ ଶୃଂଖଳା ବିଗୁଡୁଛି: ଜିଲ୍ଲାପାଳଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୩୦/୭: ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ବଢିବା ସହିତ ଆଇନ ଶୃଂଖଳା ବିଗିଡି ଯାଇଛି । ପ୍ରଶାସନର ନୀରବତା ପରିସ୍ଥିତିକୁ ଆହୁରି ଜଟିଳ କରୁଛି ।
ଏ ନେଇ ଆଜି ଯାଜପୁର ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି ସୁକିନ୍ଦାର ପୁର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଜିଲ୍ଲାପାଳଙ୍କ ସହିତ ଆଲୋଚନା ସମୟରେ ଇଂ ଘଡାଇ ଦାନଗଦୀ ବ୍ଲକ ମାନପୁର ଓଭର ବ୍ରିଜରେ ଉପଜୁଥିବା ଟ୍ରଫିକ୍ ସମସ୍ୟା ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ଶିଳ୍ପ ସଂସ୍ଥାକୁ ଦୈନିକ ଭାରିଯାନ ଗତାଗତ କରିବା ଦ୍ୱାରା ଟ୍ରାଫିକ ସମସ୍ୟା ଉତ୍କଟ ହୋଇଛି ।
ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଯୋଗୁ ଆମ୍ବୁଲାନ୍ସ ଅଟକି ଯିବା ସହିତ ରୋଗୀ ମନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ ଟ୍ରାଫିକ ସମସ୍ୟା ଯୋଗୁ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି ।
ଭାରି ଯାନ ଗୁଡିକର ଗତିପଥ ପରିବର୍ତ୍ତନ କରି କିଭଳି ଏହି ସମସ୍ୟା ଦୂର କରାଯିବ ସେ ନେଇ ଆଲୋଚନା କରିଥିଲେ । କାଳିଆପାଣି ପଞ୍ଚାୟତର ସୁକରଙ୍ଗି ଠାରେ ଓଏମସି ଡ଼ମ୍ପିଙ୍ଗ ୟାର୍ଡ ପାର୍ଶ୍ୱରେ ପାଚେରୀ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ଇଂ ଘଡାଇ ।
ଖଣିରୁ ବାହାରି ଥିବା ମାଟି ପାହାଡ଼ ସଦୃଶ ଗଦା ହୋଇଥିବାରୁ ସେଗୁଡିକ ଧସି ଯାଇ ନିକଟରେ ଥିବା ଚାଷ ଜମିକୁ ପୋତି ଦେଉଛି । ଫଳରେ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ଯାହାକୁ ନେଇ ସ୍ଥାନୀୟ ଆଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ଚାଷ କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ସେ ପ୍ରସ୍ତାବ ରଖିଛନ୍ତି।
ଅନ୍ୟପକ୍ଷରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଏବେ ଆଇନ ଶୃଂଖଳା ପରିସ୍ଥିତି ବିଗିଡି ଯାଇଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ । ସ୍ଥାନୀୟ ଅଞ୍ଚଳର ଆସମାଜିକ ବ୍ୟକ୍ତି ମାନେ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି । ଆକ୍ରମଣରେ ଜଣେ ଆଇନଜୀବି, ଖଣି ଅଞ୍ଚଳର ଶ୍ରମିକ ସଂଗଠନ ନେତାଙ୍କ ସହିତ ସାଧାରଣ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ହେଲେ ଏ ନେଇ ଅଭିଯୋଗ କଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିରବ ବସିବା ଦ୍ୱାରା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ବୋଲି କହିଛନ୍ତି ଇଂ ଘଡାଇ । ଯାହା ସୁକିନ୍ଦାକୁ ଅଶାନ୍ତ କରୁଛି । ତୁରନ୍ତ ଏ ନେଇ ପ୍ରଶାସନ ପଦକ୍ଷେପ ନନେବାକୁ ସେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ବେଳେ କ୍ଷୋଭ ପ୍ରକାଶ କରିଛନ୍ତି । ଆଲୋଚନା ସମୟରେ ଜିଲ୍ଲାପାଳ ଏ ନେଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି ।
ଆଜିର ଏହି ବୈଠକରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ, ଦାନଗଦି ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ଉପାଧ୍ୟକ୍ଷ ଅଜୟ କୁମାର ବିନ୍ଧାଣି, ୪ ଜୋନର ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବରିଷ୍ଠ ନେତା ବିବେକାନନ୍ଦ ବୋଷ, ଚନ୍ଦନ କୁମାର କର, ଯୁବନେତା ସୁଜିତ କୁମାର ରାଉତ ପ୍ରମୁଖ ଯୋଗଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.