Sports News

ସାତ୍ତ୍ଵିକ ସାଇରାଜ ଏବଂ ଚିରାଗଙ୍କ ଯୋଡ଼ି ରଚିଲେ ଇତିହାସ, ପୁରୁଷ ଡବଲ୍ସରେ ଭାରତକୁ ସ୍ଵର୍ଣ୍ଣ ପଦକ

ବର୍ମିଂହାମ, ୮/୮: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ସୋମବାର କମାଲ କରିଛନ୍ତି ଭାରତୀୟ ଖେଳାଳି। ଦେଶ ପାଇଁ ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ।
ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍ରୁ। ଏହାକୁ ଜିତିଛନ୍ତି ଦେଶର ଅନୁଭବି ଖେଳାଳି ଅଚନ୍ତା ଶରତ କମଳ।
ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇଂଲଣ୍ଡର ବେନ୍ ଲେନ୍ ଓ ସିଆନ ଭେଣ୍ଡିଙ୍କୁ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି। ୪୫ ମିନିଟ୍ ପର‌୍ୟ୍ୟନ୍ତ ଏହି ମୁକାବିଲା ଚାଲିଥିଲା। ଏଥିରେ ସାତ୍ୱିକସାଇରାଜ ଓ ଚିରାଗ ଦମ୍ଦାର ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷରେ ଟେବୁଲ ଟେନିସ୍ ପୁରୁଷ ଏକକ ବର୍ଗରେ ଭାରତର ୪୦ ବର୍ଷୀୟ ଅଚନ୍ତା ଶରତ କମଳ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କୁ ୪-୧ (୧୧-୧୩, ୧୧-୭, ୧୧-୨ ଓ ୧୧-୭)ରେ ପରାସ୍ତ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟେବୁଲ ଟେନିସ୍ ପୁରୁଷ ଏକକ ବର୍ଗରେ ଶରତ କମଳଙ୍କର ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ୨୦୦୬ରେ ସେ ଏହି ବର୍ଗରେ ପ୍ରଥମେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଯାବତ ସେ ମୋଟ ୧୩ଟି ପଦକ ଜିତିଛନ୍ତି।
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶରତ କମଳଙ୍କର ଶେଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବୋଲି କୁହାଯାଉଛି। ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୪ଟି ପଦକ ଜିତିଛନ୍ତି। ତା’ ମଧ୍ୟରେ ରହିଛି ୩ଟି ସ୍ୱର୍ଣ୍ଣ ପଦକ। ସିଙ୍ଗଲ୍ସ, ଟିମ୍ ଓ ମିକ୍ସଡ ଡବଲ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଡବଲ୍ସରେ ରୌପ ପଦକ ଜିତିଛନ୍ତି।
ଭାରତ ଏଯାବତ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ମୋଟ ୬୦ଟି ପଦକ ଜିତିଛି। ସେଥିମଧ୍ୟରେ ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି।

Related Posts

Seo wordpress plugin by www.seowizard.org.