Odisha News

ସାତପଡ଼ା ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ, ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର

ଖୋର୍ଦ୍ଧା, ୮/୭ ବୃହତ୍ତ ଜଳରାଶି ନୀଳାମ୍ବୁ ଚିଲିକାରେ ଶୁକ୍ରବାର ଅପରାହ୍ନରେ ଯାତ୍ରୀମାନଙ୍କର ଏକ ଭସାପୋଲ ଫସି ଯାଇଛି।
ଏହି ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ଅନ୍ୟ ଯାତ୍ରୀମାନେ ସ୍ଥଳଭାଗକୁ ଆସିବା ପାଇଁ ବ୍ୟାକୁଳ ହୋଇଯାଇଛନ୍ତି। ତେବେ ସଂଜ ନଇଁବାରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଜହ୍ନିକୁଦା ଘାଟରୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ଭସାପୋଲ ସାତପଡ଼ା ଅଭିମୁଖେ ବାହାରିଥିଲା।
ଏହି ଭସାପୋଲରେ ୪ଟି ଚକିଆ ଗାଡ଼ି ଓ ୨୦ଟି ବାଇକ ମଧ୍ୟ ଥିଲା। ତେବେ ଭସାପୋଲଟି ସାତପଡ଼ା ଘାଟ ଠାରୁ ୭୦୦ ମିଟର ଆସିବା ପରେ ମଝି ଚିଲିକାରେ ଚ୍ୟାନେଲ ବାହାରକୁ ଖସିଯାଇଥିଲା।
ଏହି ସମୟରେ ଭସାପପୋଲଟି ଚ୍ୟାନେଲ ବାହାରକୁ ଯାଇ ଅଟକିଯାଇଛି। ଭସାପୋଲଟି ଫସିବା ନେଇ ସୂଚନା ମିଳିବା ପରେ ଅନ୍ୟ ମତ୍ସ୍ୟଜୀବୀମାନେ ଦେଶୀ ଡଙ୍ଗା ସହାୟତରେ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇସାରିଛି।
ଅନ୍ୟ ୨୦ ଜଣ ଯାତ୍ରୀ ଖୁବ ଶୀଘ୍ର ଉଦ୍ଧାର ହେବେ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ କୁହାଯାଇଛି।
ତେବେ ଫସିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସାତପଡ଼ାରୁ ଆଉଏକ ଭସାପୋଲ, ଜେସିବି, ଏସ୍କାଭେଟର ଯିବା ପରେ ଭସାପୋଲକୁ ଉଦ୍ଧାର କରାଯିବ।
ଅନ୍ୟପଟରେ ଅନ୍ଧାର ହୋଇଥିବାରୁ ଉଦ୍ଧାର କାର‌୍ୟ୍ୟରେ ବାଧାପ୍ରାପ୍ତ ହୋଇଛି ହେଉଛି। ସୂଚନାଯୋଗ୍ୟ ଚିଲିକାରେ ଭସାପୋଲ ଫସିବା ନୂଆ କଥା ନୁହେଁ। ପ୍ରାୟ ପ୍ରତିମାସରେ ଏଭଳି ଅଘଟଣ ଦେଖିବାକୁ ମିଳୁଛି।

Related Posts

Seo wordpress plugin by www.seowizard.org.