Odisha News

ସପ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ, ବ୍ଲାକମେଲରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ

ଭୁବନେଶ୍ୱର,୨୨/୮: ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି। ଝିଅକୁ ଶାରିରୀକ, ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଥିଲା ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍। ଶ୍ୱେତାଙ୍କ ବାପା ଓ ଭାଇ ଏହି ଅଭିଯୋଗ କରିଛନ୍ତି।
ଶ୍ୱେତାଙ୍କ ବାପା କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଝିଅ ଯେଉଁ ସଫ୍ଟଓୟାର କମ୍ପାନୀରେ କାମ କରୁଥିଲେ, ସମ୍ପୃକ୍ତ ଯୁବକ ମଧ୍ୟ ଏକଦା ଉକ୍ତ କମ୍ପାନୀରେ କାମ କରୁଥିଲେ। ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉକ୍ତ ଯୁବକ ଚାକିରି ଛାଡ଼ି ଏମ୍ବିଏ କରୁଛନ୍ତି।
ଝିଅ ସହ ବିଶ୍ୱାସ ଘାତକତା କରି ଉକ୍ତ ଯୁବକ ବ୍ଲାକମେଲ କରୁଥିବା ଜଣାପଡ଼ିବା ପରେ ସେମାନେ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସମ୍ବଲପୁର ସ୍ଥିତ ସମ୍ପୃକ୍ତ ଯୁବକଙ୍କ ଘରକୁ ଯାଇ ବିବାହ ପ୍ରସ୍ତାବ ରଖିଥିଲେ। ହେଲେ ଯୁବକଙ୍କ ପରିବାର ଲୋକେ ୩୦ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ।
ଚାକିରିରୁ ଅବସର ନେଇସାରିଥିବାରୁ ଏତେ ଟଙ୍କା ଦେବାକୁ ସେ ଅସମର୍ଥତା ପ୍ରକାଶ କରିଥିଲେ। ହେଲେ ଟଙ୍କା ନ ଦେଲେ ବାହାଘର ହୋଇପାରିବ ନାହିଁ ବୋଲି ଯୁବକର ପରିବାର ଲୋକେ କହିଥିଲେ। ତେଣେ ଯେତେ ବୁଝାଇଥିଲେ ବି ଝିଅ ବୁଝି ନ ଥିଲା। ତେଣୁ ସେ ମାନସୀକ ଚିନ୍ତାରେ ଥିଲା।
ଶ୍ୱେତାଙ୍କ ଭାଇ କହିଛନ୍ତି, ସମ୍ପୃକ୍ତ ଯୁବକ ପ୍ରଥମେ ୬ମାସ ଶ୍ୱେତାଙ୍କୁ ଏକତରଫା ପ୍ରେମ କରିଥିଲେ। ପ୍ରେମ ନ କଲେ ହାତ କାଟିଦେବେ ବୋଲି ଧମକ ଦେଉଥିଲେ। ଉଭୟଙ୍କ ପ୍ରେମ ବିଷୟରେ ଦେଢ଼ ବର୍ଷ ପରେ ପରିବାର ଲୋକଙ୍କୁ ଜଣାପଡ଼ିଥିଲା।
ତେବେ ସେତେବେଳକୁ ଶ୍ୱେତାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ କିମ୍ବା ଭିଡିଓ ରଖି ଯୁବକ ଜଣକ ଭାଇରାଲ କରିବାକୁ ଧମକ ଦେଉଥିଲା। ଉଭୟଙ୍କୁ ବାହା କରାଇ ଦେବାକୁ ସେମାନେ ଚେଷ୍ଟା କରିଥିଲେ। ୨ ଥର ସମ୍ପୃକ୍ତ ଯୁବକ ଘରକୁ ଯାଇଥିଲେ। ହେଲେ ତାଙ୍କ ପରିବାର ଲୋକେ ଦୁର୍ବ୍ୟବହାର କରିଥିଲେ।
ସେପଟେ ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ସନ୍ଦିଗ୍ଧଙ୍କ ନାଁ। ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ସୂଚନା ମିଳିଛି।
ତେଣେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି।
୪ ବର୍ଷ ଧରି ଏହି ବୟଫ୍ରଣ୍ଡଙ୍କ ସହ ଶ୍ୱେତା ସମ୍ପର୍କରେ ଥିଲେ। ବୟଫ୍ରେଣ୍ଡ ବିବାହ କରିବାକୁ ମନା କରିବାରୁ ଶ୍ୱେତା ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ଲଭ୍ ଟ୍ରାଙ୍ଗେଲକୁ ନେଇ ମଧ୍ୟ ଘଟଣା ଘଟିଥିବା ପୁଲିସ ସନ୍ଦେହ କରି ତଦନ୍ତ ଆଗେଇଛି।
ସେପଟେ ଶ୍ୱତାଙ୍କ ଅନେକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରୁ ଗୋଟିଏରେ ସେ ବୁଲେଟରେ ବସି ବୁଲୁଥିବା ବେଳେ କେହି ଜଣେ ଏହାକୁ ରେକଡିଂ କରୁଥିବା ଦେଖିବାକୁ ମିଳିଛି। ପୁଲିସ ଏହି ଭିଡ଼ିଓକୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରିଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ, ଶୈଳଶ୍ରୀ ବିହାରର ଏକ ଆପାର୍ଟମେଣ୍ଟରେ ଶ୍ୱେତା ଶୁକ୍ରବାର ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କ ଘର ଭଦ୍ରକରେ। ସେ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଗତକାଲି ଘର ଲୋକେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ୍ ଥିଲା। ଶ୍ୱେତାଙ୍କ ସହିତ ଯୋଗାଯୋଗ କରିବାରେ ବିଫଳ ହେବା ପରେ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍କୁ ଖବର ଦେଇଥିଲେ। ଏହା ପରେ ପୁଲିସ ଶ୍ୱେତା ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା। ପୁଲିସ୍ କବାଟ ବାଡ଼େଇବା ସତ୍ତ୍ୱେ ଶ୍ୱେତା ରହୁଥିବା ରୁମ୍ ଭିତରୁ କିଛି ପ୍ରତିକ୍ରିୟା ଆସି ନଥିଲା। ଏହା ପରେ ପୁଲିସ୍ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଶ୍ୱେତା ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ପୁଲିସ୍ ଦେଖିବାକୁ ପାଇଥିଲା।
ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ସରିଥିବାରୁ ରିପୋର୍ଟକୁ ଅପେକ୍ଷା କରିଛି।

Related Posts

Seo wordpress plugin by www.seowizard.org.