Odisha News

ସଂଘର୍ଷ ଓ ସଂଘାତ ଝଡକୁ ପାର କରି ସ୍ୱର୍ଣ୍ଣାକ୍ଷରରେ ନିଜର ନା ଲେଖିଲେ ଦ୍ରୌପଦୀ

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୨୧/୭: ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କଲେ ଓଡିଆ ଝିଅ । ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଜୁଲାଇ ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯିବ ଦ୍ରୌପଦୀ ମୁର୍ମୁଙ୍କ ନାଁ ।
ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରୁ ଜିଲ୍ଲାରୁ ଦିଲ୍ଲୀର ରାଇସିନା ହିଲ୍ ଯାତ୍ରା ମୁର୍ମୁଙ୍କ ପାଇଁ ଥିଲା ବେଶ୍ ସଂଘର୍ଷ ମୟ । ଦିର୍ଘ ୨୫ବର୍ଷ ରାଜନୈତିକ ଅଭିଜ୍ଞତା ଭିତରେ ମୁର୍ମୁଙ୍କୁ ମିଳିଛି ସବୁଠାରୁ ବଡ଼ ସଫଳତା । ନବରଙ୍ଗପୁରରୁ ଜିଲ୍ଲାର ଉପରବେଡା ଗାଁରେ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଅତି ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ସାଧାରଣ ମିଣିଷ ହୋଇ ରହିବା ପାଇଁ କେବେବି ଚାହିଁନଥିଲେ । ଗାଁ ସ୍ଲୁଲରେ ୫ମ ଯାଏଁ ପାଠ ପଢ଼ି ସାରି ରାଜଧାନୀ ଚାଲି ଆସିଥିଲେ । ସମ୍ପର୍କୀୟ ମାମୁଁ ଘରେ ରହି ଭୁବନେଶ୍ୱରରେ ୟୁନିଟ୍ ୨ ବାଳିକା ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଏହାପରେ ସେ ଭୁବନେଶ୍ୱର ରମାଦେବୀ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
ଘରର ଆର୍ଥିକ ସମ୍ବଳ ଭଲ ନଥିବାରୁ ଜଳ ସମ୍ପଦ ବିଭାଗରେ କିରାଣି ଭାବେ ଚାକିରୀ କରିଥିଲେ ମୁର୍ମୁ । ପରବିିର୍ତ୍ତି ସମୟରେ ବ୍ୟାଙ୍କରେ ଚାକିରି କରୁଥିବା ଶ୍ୟାମ ସୁନ୍ଦର ମୁର୍ମୁଙ୍କ ବିବାହ କରିଥିଲେ । ବିବାହ ପରେ ସ୍ୱାମୀଙ୍କ ସହ ଗାଁକୁ ଫେରି ଯାଇଥିଲେ । ସେଠାରେ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ଶିକ୍ଷୟତ୍ରୀ ରହିଥିଲେ ।
ଭାରତୀୟ ଜନତା ପାର୍ଟିରୁ ରାଜନୌତିକ ଜୀବନ ଆରମ୍ଭ କରିଥିଲେ ମୁର୍ମୁ । ୧୯୯୭ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପ୍ରଥମ ୱାର୍ଡ କାଉନସିଲର ହୋଇଥିଲେ । ପରେ ବିଜେପି ଓ ବିଜେଡି ମେଣ୍ଡ ସରକାର ଥିଲାବେଳେ ୨୦୦୦ରୁ ୨୦୦୪ମସିହାରେ ବାଣିଜ୍ୟ, ପରିବହନ, ମତ୍ସ ଓ ପଶୁ ସମ୍ପଦ ବିଭାଗରେ ସ୍ୱାଧିନ ଭାବେ ମନ୍ତ୍ରୀ ରହିଥିଲେ ମୁର୍ମୁ ।
୨୦୧୫ରେ ଝାଡଖଣ୍ଡର ନବମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ ।
ପାରିବାରକ ଜୀବନ ଯଦିଓ ଅତି ଦୁଃଖପୂର୍ଣ୍ଣ ରହିଥିଲା, ରାଜନୈତିକ ଜୀବନ ତାଙ୍କର ଥିଲା ବେଶ୍ ସଫଳତା ପୁର୍ଣ୍ଣ । ପରିବାରରେ ଦୁଇ ପୁଅ ଏବଂ ସ୍ୱାମୀଙ୍କୁ ଖୁବ୍ କମ୍ ବୟଷରେ ହରେଇ ଥିବାର ଦୁଃଖରେ ଭାଙ୍ଗି ପଡିଥିଲେ ମୁର୍ମୁ । କିନ୍ତୁ ଦୁଃଖ ଭିତରେ ଜୀବନକୁ ଜିଇଁବା ଶିଖିଥିଲେ ମୁର୍ମୁ । ଶେଷରେ ଏକମାତ୍ର ଝିଅକୁ ଚାହିଁ ଜୀବନର ସବୁ ଦୁଃଖ ଭୁଲି ଜୀବନର ଲମ୍ବା ରାସ୍ତା ଚାଲିଥିଲେ । ଆଉ ଆଜି ତାଙ୍କ ସବୁ ସଂଘର୍ଷର ସଫଳତା ମିଳିଛି । ଦେଶର ସର୍ବପ୍ରଥମ ନାଗରିକ ହେବାର ଗୌରବ ଲାଭ କରିଛନ୍ତି ଦ୍ରୌପଦୀ ମୁର୍ମୁ । ମୁର୍ମୁ ସର୍ବ କନିଷ୍ଟ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

Related Posts

Seo wordpress plugin by www.seowizard.org.