Odisha News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁରୀ ସାଂସଦଙ୍କ ବଡ଼ ବୟାନ, କହିଲେ- କୌଣସି ଏଜେନ୍ସି ଏହାକୁ ରୋକିପାରିବ ନାହିଁ

କଟକ,୨୮/୫: ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଗୋଟେ ଇଚ୍ଛା। ମହାପ୍ରଭୁଙ୍କର ମଧ୍ୟ ଇଚ୍ଛା ପୁରୀର ସୌନ୍ଦର୍ଯ୍ୟକରଣ ହେଉ। ବେଆଇନ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଆଜି ଏପରି ଗଣମାଧ୍ୟମକୁ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର।
ତେବେ ସେ କିପରି ମହାପ୍ରଭୁଙ୍କ ଇଚ୍ଛା ଜାଣିପାରିଲେ, ଅନ୍ୟମାନେ କିପରି ଜାଣିପାରିଲେ ନାହିଁ, ସେ ସମ୍ପର୍କରେ ସେ ଗଣମାଧ୍ୟମକୁ କିଛି କହିନାହାନ୍ତି।
ସେ ବିରୋଧୀଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି, ବିରୋଧୀ କାମ ଅଭିଯୋଗ କରିବା ଓ ବିରୋଧ କରିବା। ଗୋଟିଏ ସ୍ତରରେ ନିଜର ସ୍ୱାର୍ଥ ପାଇଁ ରାଜନୀତି ହେଉଛି। ମହାପ୍ରଭୁଙ୍କ ନାଁରେ ମଧ୍ୟ ରାଜନୀତି ହେଉଛି।
ଏଥିରେ ମୁଁ କିଛି କହିବାକୁ ଚାହୁଁନି। ଲୋକ ତାର ସଠିକ ଜବାବ ଦେବେ। ଆମସାର ଆକ୍ଟ ହେଉକି, ଏଏସଆଇ ଦୃଷ୍ଟି କୋଣରୁ, ଏ ସବୁ ଘଟଣା ବିଚାରାଧୀନ ଅଛି।
କାମ ଆଇନ ଅନୁସାରେ ହେଉଛି ନା ବେଆଇନ ଭାବେ ହେଉଛି, ତାହା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଛି। ଯାହା କୋର୍ଟଙ୍କ ଆଦେଶ ଆସିବ ତାକୁ ସମସ୍ତେ ମାନିବା ଉଚିତ। ସେଥିରେ ମୁଁ କିଛି କହିଲେ କିମ୍ବା ଅନ୍ୟ କେହି କହିଲେ ଯାଏ ଆସେ ନାହିଁ।
ଆଜି ବି ପ୍ରକଳ୍ପ ପାଇଁ ଦିନରାତି କାମ ଚାଲିଛି, କାମ ଉପରେ ରୋକଠୋକ ନାହିଁ। କାମ କେମିତି ଶୀଘ୍ର ସରୁ ବୋଲି ମହାପ୍ରଭୁ ଓ ପୁରିବାସୀ ଇଚ୍ଛା। ସେହି ଅନୁସାରେ କାମ ହେଉଛି। ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏହି କାମରେ ବାଧା ସୃଷ୍ଟି କରିପାରିବ ନାହିଁ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଯାତ୍ରାପାର୍ଟି ରାଜନୀତି ଏଠି ହଉଛି। ଏହାର ଜବାବ ସେ ଦେବାକୁ ଚାହୁଁନାହାନ୍ତି।
ଯାତ୍ରା ପାର୍ଟି ହେଉଛି, ସେମିତି ଚାଲିବ। ମହାପ୍ରଭୁଙ୍କ ନାଁରେ ନିଜର ସ୍ୱାର୍ଥ ପାଇଁ ରାଜନୀତି ଚାଲିଛି। ଲୋକେ ତାର ଜବାବ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ତେବେ ଲୋକଙ୍କ ଇଚ୍ଛା ବୋଲି କହି ଲୋକଙ୍କ ମୁଣ୍ଡ ଉପରେ ନଡ଼ିଆ ବାଡ଼େଇ ଆସୁଥିବା ରାଜନେତା ଏବେ ଶ୍ରୀଜଗନ୍ନାଥଙ୍କ ନାମ ମଧ୍ୟ ଏଭଳି ଅର୍ଥରେ ବ୍ୟବହାର କରିବା ସାଧାରଣରେ ଉଦବେଗର ବିଷୟ ହୋଇଛି।

Related Posts

Seo wordpress plugin by www.seowizard.org.