Odisha News

ଶ୍ରମିକଙ୍କୁ ନକ୍ସଲ ବୋଲି ଦର୍ଶାଇ ଏନକାଉଣ୍ଟର , ପ୍ରତିବାଦରେ ରାସ୍ତା ଅବରୋଧ କଲେ ଲୋକେ

ମାଲକାନଗିରି,୧୩/୧୧: ମିଥ୍ୟା ଏନକାଉଣ୍ଟର ଅଭିଯୋଗ କରି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଭେଜାଗୁଡା ପଞ୍ଚାୟତର ଶତାଧିକ ମହିଳା ପୁରୁଷ କୋତାମେଟା ଠାରେ ୩୨୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ଗତ ୧୦ ତାରିଖରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲ ଭିତରେ ୨ଜଣକୁ ପୁଲିସ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିବା ଘଟଣା ସମ୍ପୁର୍ଣ୍ଣ ମିଥ୍ୟା କହି ଆଜି ମୃତକଙ୍କ ପରିବାର ସମ୍ପର୍କୀୟ ଓ ଶହ ଶହ ଗ୍ରାମବାସୀ କୋତାମେଟା ଗ୍ରାମ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ମୁତାବକ ଗତ ୧୦ ତାରିଖ ଦିନ ୨ଜଣ ବ୍ୟକ୍ତି ବୈପାରିଗୁଡା ମାଲିଗୁଡ଼ା ଜଙ୍ଗଲରେ କାଉଡ଼ି ଯୋଗେ ଗଞ୍ଜେଇ ନେଇ ଯାଉଥିବା ବେଳେ, ସେହି ସମୟରେ, କୋରାପୁଟ ଜିଲ୍ଲା ପୁଲିସ ତଥା ଏସଓଜି ଓ ଡିଭିଏଫ ଯବାନ ପକ୍ଷରୁ ଗଂଜେଇ ଚାଲାଣକାରୀଙ୍କ ଉପରେ ଗୁଳିଚାଳନା କରିଥିଲେ।
ତେବେ ପୁଲିସ ଗୁଳିରେ ମାଲକାନଗିରି ଭେଜାଗୁଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମର ୪୧ ବର୍ଷୀୟ ଧନ କମାର ନାମକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ନୁଆଗୁଡା ଗାଁର ଜୟ କୁମାର ନାଗ ବୋଲି ଜଣାପଡିଛି।
ନିରୀହ ଲୋକଙ୍କୁ ନକ୍ସଲ ସଜାଇ ପୁଲିସ ଏନକାଉଣ୍ଟର କରି ମାରିଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ ଓ ପରିବାର ଲୋକ। ଏନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ପ୍ରକାଶ ପାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି।
ଏଥି ସହିତ ପରିବାର ତଥା ଗ୍ରାମବାସୀ ଓ ସମ୍ପର୍କୀୟ ମାନଙ୍କ କହିବା କଥା ଗରିବ ଶ୍ରେଣୀର ହୋଇଥିବାରୁ କାଉଡ଼ିଆ ଭାବେ କାର୍ଯ୍ୟ କରୁଥିଲେ ଧନ କମାର, ଏବେ ସେ ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ବେଳେ, ପରିବାରର ଭରଣପୋଷଣ କିଏ କରିବ ଏନେଇ ଆଜି ଦିନ ତମାମ ଜୟପୁର ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି। ୩୦ ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଦାବି ସହିତ ଶବକୁ ଖୁବଶିଘ୍ର ହସ୍ତାନ୍ତର ପାଇଁ ଦାବି କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଶହ ଶହ ମହିଳା ପୁରୁଷ ଆଜି ଦିନ ତମାମ ରାସ୍ତାକୁ ଅବରୋଧ କରିଥିବା ବେଳେ ସଂଧ୍ୟାରେ ମାଲକାନଗିରି ତହସିଲର ଅତିରିକ୍ତ ତହସିଲଦାର, ମାଥିଲି ତହସିଲଦାର ଏବଂ ମାଲକାନଗିରି ଆଇଆଇସି ରିଗାନ କିଣ୍ଡୋ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।
କିନ୍ତୁ ଲୋକେ କ୍ଷତିପୂରଣ ନଦେବା ପର‌୍ୟ୍ୟନ୍ତ ଏବଂ ଶବକୁ ତୁରନ୍ତ ହସ୍ତାନ୍ତର ନକରିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କୁହାଯାଇଛି। ଆସନ୍ତାକାଲିକୁ ଗୋବିନ୍ଦପାଲ୍ଲୀ ଘାଟିରେ ଗଛ ପକାଇ ସଂପୂର୍ଣ୍ଣ ରୂପେ ୩୨୬ ଜାତୀୟ ରାଜପଥକୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି। କାମଧନ୍ଦା ନମିଳିବାରୁ ସେ ଗଂଜେଇ ମାଫିଆଙ୍କ ପାଖରେ କାମ କରିବାକୁ ବାଧ୍ୟ ହୋଇଥିଲା। ସେ କାଉଡି କରି ଗଂଜେଇ ନେଇ ଅନ୍ୟ ସ୍ଥାନରେ ଛାଡିଲେ ତାକୁ କିଛି ଟଂକା ମିଳୁଥିଲା।
ଯାହାଫଳରେ ସେ ନିଜର ପରିବାରର ପ୍ରତିପୋଷଣ କରୁଥିଲା। ସେ ଘରର ଜଣେ ରୋଜଗାରିଆ ହୋଇଥିବାରୁ ଏହି ମିଥ୍ୟା ଏନକାଉଣ୍ଟରର ତଦନ୍ତ କରିବାକୁ ଦାବି କରାଯାଇଛି। ପୁଲିସ ଏବଂ ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିବାରେ ନାକେଦମ ହୋଇଥିବା ବେଳେ ଲୋକେ ନିଜ ଜିଦରେ ଅଟଳ ରହିଛନ୍ତି।ରାତି ତମାମ ରାସ୍ତା ଅବରୋଧ କରି ବସିବେ ବୋଲି ଧମକ ଦେଇଛନ୍ତି।

Related Posts

Seo wordpress plugin by www.seowizard.org.