Odisha News

ଶୌଚ ହେବାକୁ ଯାଇଥିଲେ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ବରଗଡ଼,୧୭/୧୨ : ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଝରାପାଲି-ଝର୍ନିଆଟିକ୍ରାରେ ଘଟିଛି ଏହି ଘଟଣା।
ମୃତ ଯୁବକଙ୍କ ନାଁ ଶିବଲାଲ ସୁନା। ତାଙ୍କ ଘର ଗାଇସିଲେଟ ବ୍ଳକ୍ କଠଉମାଲ ଗାଁରେ।
ଆଜି ସକାଳେ ଶିବଲାଲ ଶୌଚ ହେବା ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
ସପ୍ତାହେ ତଳେ କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ରତନପୁର ଗାଁରେ ହାତୀ ଆକ୍ରମଣରେ ରେଞ୍ଜର ପ୍ରଶାନ୍ତ ପାଲ ଆହତ ହୋଇଥିଲେ। ସେ ହାତୀ ଘଉଡ଼ାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
ରାଜ୍ୟର ପ୍ରାୟ ଅଞ୍ଚଳରେ ଏବେ ହାତୀ ଉପଦ୍ରବ ମୁଣ୍ଡବ୍ୟଥାର କାରଣ ପାଲଟିଛି। କେଉଁଠି ହାତୀପଲ ଚାଷଜମିରେ ପଶି ଫସଲ ନଷ୍ଟ କରୁଛନ୍ତି ତ ଆଉ କେଉଁଠି ଜନବସତି ମୁହାଁ ହୋଇ ଘର ଭାଙ୍ଗି ଦେଉଛନ୍ତି ଓ ଲୋକଙ୍କୁ ଆକ୍ରମଣ କରୁଛନ୍ତି।
ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, ଗତ ୫ ବର୍ଷରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ଜୀବନ ଯାଇଛି। ହାତୀ ୧୨୭ଟି ଗୃହପାଳିତ ପ୍ରାଣୀଙ୍କୁ ମାରିଥିବା ବେଳେ ୯୬୧୧ଟି ଘର ଭାଙ୍ଗିଛନ୍ତି।
ସେହିଭଳି ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର ଓ ବିଷ ପ୍ରୟୋଗ ଇତ୍ୟାଦି ବିଭିନ୍ନ କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।

Related Posts

Seo wordpress plugin by www.seowizard.org.