ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୬ : ଲଘୁ ଖଣିଜ ଚୋରା ଚାଲାଣ ଉପରେ ଲାଗିବ ରୋକ । ମୋହନ ସରକାର ଏ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ରାଜସ୍ୱ ବିଭାଗକୁ ପୁନର୍ବାର ଲଘୁ ଖଣିଜ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୁତାବକ, ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ସରକାର ଏହି ବିଭାଗର ଦାୟିତ୍ୱ ପୁଣି ଥରେ ରାଜସ୍ୱ ବିଭାଗକୁ ପ୍ରଦାନ କରିବେ । ଲଘୁ ଖଣିଜ ଖଣି ବିଭାଗ ପାଖରେ ରହିବ କିନ୍ତୁ ରାଜସ୍ୱ ବିଭାଗ ଦାୟିତ୍ୱ ତୁଲାଇବ । ପୂର୍ବରୁ ମଧ୍ୟ ରାଜସ୍ୱ ବିଭାଗର ବଡ଼ ଦାୟିତ୍ୱରେ ଲଘୁ ଖଣିଜ ଥିଲା ।
କିନ୍ତୁ ଏହାକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ମାତ୍ର ଲଘୁ ଖଣିଜ ଚୋରା ଚାଲାଣ ବନ୍ଦ କରିବାରେ ଖଣି ବିଭାଗ ସକ୍ଷମ ହେଉନାହଁ । ରାଜସ୍ୱ ବିଭାଗକୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରାଯିବ । ଏ ଦାୟିତ୍ୱ ରାଜସ୍ୱ ବିଭାଗର ଅଧିକାରୀମାନେ ସୁଚାରୁରୂପେ ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ସେହିପରି ଇ-ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ଅନୁମତି ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଟିପି ବା ଟ୍ରାନ୍ଜିଟ୍ ପାସ୍ ବିନା କୌଣସି ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇପାରିବ ନାହିଁ । ବିନା ଟିପିରେ ପରିବହନ ହେଉଥିବା ଖଣିଜ ଦ୍ରବ୍ୟ ବେଆଇନ ବୋଲି ବିଚାର କରାଯିବ ।
ଏପରିକି ବିନା ଟିପିରେ କିଣାଯାଇ ବିଭିନ୍ନ ସରକାରୀ ପ୍ରକଳ୍ପରେ ବ୍ୟବହାର ହେଉଥିବା ଖଣିଜ ଦ୍ରବ୍ୟକୁ ମଧ୍ୟ ଚୋରି ଦ୍ରବ୍ୟ ଭାବେ ବିଚାର କରାଯିବ । ଟିପି ପାସ୍ ଜମା କରିନଥିଲେ ସଂପୃକ୍ତ ଠିକାଦାର ବା ଏଜେନ୍ସିଙ୍କ ବିଲ୍ ପାସ୍ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।