Odisha News

ରାସ୍ତା କଡରୁ ହଟିବ ପାର୍କିଂ, ପାରିପାର୍ଶ୍ୱିକ ବିକାଶକୁ ମିଳିବ ଗୁରୁତ୍ୱ

ଯାଜପୁର,୧୩/୭ : ବିସ୍ଥାପିତଙ୍କ ଥଇଥାନ ସହ ପାରିପାର୍ଶ୍ୱିକ ବିକାଶ ଦ୍ୱାରା ହିଁ ଶିଳ୍ପାୟନ ସଫଳ ହୋଇଥାଏ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଲାଗି ଜମି ଅଧିଗ୍ରହଣ କରୁଥିବା ଇଡକୋ କର୍ତ୍ତୃପକ୍ଷ,ଶିଳ୍ପାଞ୍ଚଳର ସାମଗ୍ରିକ ବିକାଶ କରିବା ଉଚିତ। କିନ୍ତୁ ଶିଳ୍ପାୟନର ରାଜଧାନୀ, ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ବିସ୍ଥାପିତଙ୍କ ଲାଗି ନା ନିର୍ମାଣ ହୋଇଛି ମାର୍କେଟ କଂପ୍ଲେକ୍ସ ନା ସ୍କୁଲ। ଜମିହରାଙ୍କୁ କ୍ଷତିପୂରଣ ଦେଇ ଦାୟିତ୍ୱରୁ ମୁକ୍ତ ହେଉଥିବା ଇଡକୋ ଅଧିକାରୀଙ୍କୁ ସାଙ୍ଗରେ ନେଇ କଳିଙ୍ଗ ନଗରର ବାସ୍ତବ ସ୍ଥିତି ଆଜି ଅର୍ଥାତ୍ ସୋମବାର ଦିନ ଅନୁଧ୍ୟାନ କରିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ବିସ୍ଥାପିତ କଲୋନିରେ ପାଣି,ମାର୍କେଟ,ସ୍କୁଲ ଓ ମେଡିକାଲ ନିର୍ମାଣ କରିବା ପରେ ଲୋକଙ୍କୁ ବିସ୍ଥାପିତ କରିବାକୁ ଇଡକୋ ଅଧିକାରୀଙ୍କୁ ସୁକିନ୍ଦା ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।
କଳିଙ୍ଗ ନଗରରେ ପ୍ରତିଷ୍ଠା ହେବାକୁ ଥିବା ୩୬ଟି ଆନୁସଙ୍ଗିକ କାରଖାନା ଲାଗି ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତର ଟାଙ୍ଗର ସାହି ଅରା ସାହି ଓ କଚେରି ସାହିର ବିସ୍ଥାପିତ ହେବେ। ସେହି ପରିବାରକୁ ଉପଯୁକ୍ତ ଥଇଥାନ ପ୍ୟାକେଜ୍ ପ୍ରଦାନ ସହ ପାରିପାର୍ଶ୍ୱିକ ବିକାଶକୁ ପ୍ରାଥମିକତା ମିଳିବ। ଅନ୍ୟପକ୍ଷରେ ସରକାରୀ ଜମିକୁ ଶିଳ୍ପାନୁଷ୍ଠାନକୁ ହସ୍ତାନ୍ତର କରିବା ଆଗରୁ ଦଖଲକାରୀଙ୍କୁ ବୁଝାସୁଝା କରି ଜମିକୁ ପ୍ରଥମେ ଇଡକୋ ଅକ୍ତିଆର କରିବାକୁ ନିଷ୍ପତ୍ତି ହୋଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ,ଏଡିଏମ କଳିଙ୍ଗ ନଗର ସନ୍ତୋଷ ମିଶ୍ର,ଇଡକୋ ସିଜିଏମ୍ ସୁଶାନ୍ତ ମହାନ୍ତି, କଳିଙ୍ଗ ନଗର ଅତିରିକ୍ତ ଏସପି ଜୟରାମ ଶତପଥି ଏବଂ ଦାନଗଦି ତହସିଲଦାର ନମ୍ରତା ମୋଦି ପ୍ରମୁଖ ଶିଳ୍ପାଞ୍ଚଳ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅନ୍ୟପକ୍ଷରେ ଶିଳ୍ପାଞ୍ଚଳରେ ଦୁର୍ଘଟଣାର କାରଣ ସାଜୁଥିବା କମ୍ପାନୀ ଗୁଡିକୁ ତାଗିଦ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଇଟ୍ ଟୁ ୟୁଜ୍ ବା ବ୍ୟବହାର କରିବା ଅଧିକାର(ଆରଓୟୁ) ବଳରେ ପାର୍କିଂ ୟାର୍ଡ ଲାଗି ଟାଟା ଓ ଜିନ୍ଦଲକୁ ୧୦ ଏକର ଲେଖାଏଁ ଜମି ଯୋଗାଇ ଦିଆଯାଇଛି। କିନ୍ତୁ ଆବଣ୍ଟିତ ଜାଗାରେ ଟାଟା ଓ ଜିନ୍ଦଲ ପାର୍କିଂ ନକରି ରାସ୍ତା କଡରେ ନିଜର ଟ୍ରକ ଗୁଡିକ ଠିଆ କରାଉଛନ୍ତି। ଫଳରେ କଳିଙ୍ଗ ନଗରରେ ବିଶେଷ କରି ଯଖପୁରା ଅଞ୍ଚଳରେ ନିୟମିତ ଦୁର୍ଘଟଣାରେ ପ୍ରାଣହାନୀ ହେଉଛି। ତେଣୁ ଆବଣ୍ଟିତ ଜମିରେ ପାର୍କିଂ କରିବା ଲାଗି ଟାଟା ଓ ଜିନ୍ଦଲକୁ ପ୍ରଶାସନ ପକ୍ଷରୁ ତାଗିଦ କରାଯିବା ସହ ରାସ୍ତା କଡରୁ ବେଆଇନ ପାର୍କିଂ ୟାର୍ଡକୁ ଉଚ୍ଛେଦ କରାଯିବ। ତେବେ କଳିଙ୍ଗ ନଗରରେ୧୯୯୬ରୁ ଆଜି ଯାଏଁ ଇଡକୋ ପକ୍ଷରୁ ୧୩,୬୮୭ ଏକର ଜମି ଅଧିଗ୍ରହଣ ହୋଇଛି,କିନ୍ତୁ ଏହାର ବିକାଶ ଲାଗି ଇଡକୋ ପକ୍ଷରୁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେଇନାହଁ ।ତେବେ କଳିଙ୍ଗ ନଗର ଶିଳ୍ପାଞ୍ଚଳର ପ୍ରମୁଖ ଯଖପୁରା ଥାନାର ୨୩ଲକ୍ଷ ଟଙ୍କା ବକେୟା ବିଦ୍ୟୁତ ବିଲ୍ ଡିଏମଏଫ ପାଣ୍ଠିରୁ ଶୀଘ୍ର ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।

Related Posts

Seo wordpress plugin by www.seowizard.org.