ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି
ଭୁବନେଶ୍ବର,୨/୭: ଗୁରୁବାର ଦିନ ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ୨୭ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରାଯାଇଛି ।
ଉଭୟଙ୍କ ଭିତରୁ ଜଣେ ଗଞ୍ଜାମ ଜିଲ୍ଲାରୁ ଜଣଙ୍କର ହୋଇଥିବାବେଳେ ଅନ୍ୟ ଜଣେ ଅନୁଗୁଳ ଜିଲ୍ଲାର। ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ମାମଲା । ଏଣେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ରୋଗୀଙ୍କ ମୃତ୍ୟୁ ଘଟିଥିଲା।
ଗଞ୍ଜାମ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ ଏବଂ ଅନୁଗୁଳ ଜିଲ୍ଲାର ୫୭ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ଏଥି ପାଇଁ ଦୁଃଖିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି।
ଗତ ୨୪ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ହେତୁ ଓଡ଼ିଶାରେ ଏହି ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ଏବଂ ଚିକିତ୍ସାରେ ଥିବା ଅନ୍ୟ ଜଟିଳତା ହେତୁ ୮ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲାରୁ ଦୁଇଟି ମୃତ୍ୟୁ ମାମଲା ରୁଜୁ ହୋଇଥିଲା।