Odisha News

ରାଜ୍ୟରେ ଆହୁରି ବଢୁଛି ତାତି, ୧୪ ରୁ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର,୧୨/୩ : ରାଜ୍ୟରେ ବଢ଼ିଛି ତାତି । ଶୁକ୍ରବାର ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଆହୁରି ବଢ଼ିବ ତାତି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଛୁଇଁବ । ପାଣିପାଗବିତ୍ ଏଭଳି ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ୧୪ରୁ ୧୭ ତାରିଖ ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ପବନ ବିଶେଷ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ ।
ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୦ ଡିଗ୍ରୀ ସେଲସିୟସ୍ ଛୁଇଁବା ସହିତ ସାରା ରାଜ୍ୟରେ ମଧ୍ୟ ତାତି ଅନୁଭୂତ ହେବ। ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ତାତି ୩୭ ଡିଗ୍ରୀ ଉପରେ ରହିବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ।
୧୮ରୁ ପାଗ ବଦଳିବ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ପାଗ ଶୁଖିଲା ରହିବ । ତାପମାତ୍ରା ବିଶେଷ ବଢ଼ିବନି ବୋଲି ସେ ଆକଳନ କରିଛନ୍ତି ।
ଶୁକ୍ରବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ଅନୁଗୁଳରେ ୩୭.୧, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼ ଓ ସୋନପୁରରେ ୩୭ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୬.୩ ଡିଗ୍ରୀ ସେଲସିୟସ୍ ଥିବାବେଳେ ବାରିପଦା, ଝାରସୁଗୁଡ଼ା, ନୟାଗଡ଼ ଓ ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Related Posts

Seo wordpress plugin by www.seowizard.org.