Odisha News

ରାଜ୍ୟରୁ ଉଠିଲା କୋଭିଡ୍ କଟକଣା, ସ୍ୱେଚ୍ଛାକୃତ ଭାବେ ଆଇନ୍ ଅନୁସରଣ କରିବାକୁ ପରାମର୍ଶ

ଭୁବନେଶ୍ୱର,୧୬/୧୧: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପରେ ରାଜ୍ୟ ସରକାର ଆଜି ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ଆଉ ରାଜ୍ୟରେ କୋଭିଡ୍ କଟକଣା କିମ୍ବା କୋଭିଡ୍ ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହଁନ୍ତି ।
ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦସ୍ତଖତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପରେ କୋଭିଡ-୧୯ ନିୟମାବଳୀ ୨୦୨୦କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସାଧାରଣ ଲୋକମାନେ ଚାହିଁଲେ ନିଜେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକତା ଅନୁସାରେ ଏହି ନିୟମ ପାଳନ କରିପାରିବେ ।
ସୂଚନାଯୋଗ୍ୟ, କୋଭିଡ-୧୯ ନିୟମାବଳୀ ରାଜ୍ୟରେ ବଳବତ୍ତର ଥିବାବେଳେ ମୁହଁରେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଛେପ ପକାଇବା, ଜନ ସମାଗମ ଆଦି ଉପରେ କଟକଣା ରହିଥିଲା ।
ଏହି ନିୟମ ଭଙ୍ଗ କଲେ ଦୋଷୀଙ୍କ ବିରୁଦ୍ଧରେ ଜୋରିମାନା ରୁଜୁ ହେଉଥିଲା । ତେବେ ଆଜି ରାଜ୍ୟ ସରକାର ଏହି କୋଭିଡ୍ -୧୯ ରେଗୁଲେସନକୁ ଉଚ୍ଛେଦ କରିଛନ୍ତି । ତା’ଛଡ଼ା ରାଜ୍ୟରେ ଗତ କିଛିମାସ ହେବ କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇନଥିବା ଜଣାପଡ଼ିଛି ।

Related Posts

Seo wordpress plugin by www.seowizard.org.