Odisha News

ରାଜଧାନୀରେ ଆତଙ୍କ, ବ୍ୟାଙ୍କ୍ ସମ୍ମୁଖରେ ଭୁଜାଲି ଦେଖାଇ ମହିଳାଙ୍କଠାରୁ ଲୁଟ୍

ଭୁବନେଶ୍ୱର୩/୯: ଅଶାନ୍ତ ହୋଇପଡ଼ିଛି ରାଜଧାନୀ। କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଚଲାଇଛନ୍ତି ଦମନ ଲୀଳା। କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। ଗତକାଲି ରାଜଧାନୀ ଛାତି ଉପରେ ସମାନ ଘଟଣା ଘଟି ଯାଇଛି।
ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକରେ। ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା।
ଲଳିତା ପରିବା ବ୍ୟବସାୟ କରନ୍ତି। ପ୍ରତିଦିନ ରାତି ପ୍ରାୟ ୩ଟା ସମୟରେ ସେ ୪ ନମ୍ବର ବଜାରକୁ ପରିବା ଆଣିବାକୁ ଯାଆନ୍ତି। ସକାଳେ ବଜାରରେ ପରିବା ବିକ୍ରି କରି ପରିବାର ପୋଷଣ କରନ୍ତି। ଗତକାଲି ମଧ୍ୟ ସେ ପରିବା ପାଇଁ ୪ ନମ୍ବର ବଜାରକୁ ଯାଉଥିଲେ।
ଏହି ସମୟରେ ଝାରପଡ଼ା ଗୋଲେଇ ଛକ ଓଭର ବ୍ରିଜ ଉପରେ ୬ଜଣ ଲୁଟେରା ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଛୁରି ଲଗାଇ ତାଙ୍କ ସ୍କୁଟି ନେଇଯିବା ସହ ଟଙ୍କା, ମୋବାଇଲ,ଏଟିଏମ୍ କାର୍ଡ ଲୁଟି ନେବାକୁ ଉଦ୍ୟମ କରିଥିଲେ।
ଲଳିତା ଏନେଇ ଜୋରରେ ପାଟି କରିଥିଲେ। ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀ ଲଳିତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲୁଟେରାମାନେ ଲଳିତାଙ୍କ ସ୍କୁଟି ଛାଡ଼ି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ତାଙ୍କ ବ୍ୟାଗରେ ୮୦୦୦ ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ ଓ ପାନକାର୍ଡ ଥିବା ଲଳିତା କହିଛନ୍ତି। ଏନେଇ ଲଳିତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇବା ସହ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.