Odisha News

ମୟୂରଭଞ୍ଜ : ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

ଉଦଳା, ୧୯/୫: ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ।
ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଦୁରା ସିଂ। ଘଟଣା ପରେ ସ୍ତ୍ରୀ ଗୁରୁବାରୀ ସିଂ ଫେରାର ହୋଇଯାଇଛି।
ଗତକାଲି ରାତିରେ ଲାଦୁରା ଓ ଗୁରୁବାରୀ ବଜାରକୁ ଯାଇଥିଲେ। ବଜାରରୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ପରେ ସ୍ତ୍ରୀ ଗୁରୁବାରୀ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ଲାଦୁରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.