Odisha News

ମାଲକାନଗିରି ଜିଲ୍ଲା ପୁଲିସ ୨ ଜଣ ସାଇବର ଲୁଟେରାକୁ ଗିରଫ କରିବାରେ ସଫଳ

ମାଲକାନଗିରି,୧୭/୨: ମାଲକାନଗିରି ଜିଲ୍ଲା ପୁଲିସ ୨ ଜଣ ସାଇବର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ଲୋକଙ୍କୁ ଲଟେରି ଜିତି ଲକ୍ଷପତି ହୋଇଛନ୍ତି କହି କୌଶଳ କ୍ରମେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଦୁଇଭାଇ।
ସେମାନଙ୍କ ନାମ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀ। ବିଭିନ୍ନ ଥାନା ଅଂଚଳରେ ଏହି ସାଇବର ଲୁଟେରାମାନେ ଲୋକଙ୍କୁ ଠକି ଟଂକା ଲୁଟି ନେଇଥିବା ପୁଲିସ କହିଛି।
ପ୍ରଥମ ଘଟଣାଟି ଗତ ୨୦୨୨ ମସିହା ମେ ମାସରେ ଓର୍କେଲ ଥାନା ଅନ୍ତର୍ଗତ ଚିମଟାପାଲୀ ଗ୍ରାମର ଚଞ୍ଚଳା ପାଙ୍ଗୀ(୩୦) ଓର୍କେଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଂକ ନିକଟକୁ ଏକ ଫୋନ ଯୋଗେ ୨୫ ଲକ୍ଷ ଟଂକା ଜିତିଥିବା ନେଇ ଜଣେ ବ୍ୟକ୍ତି କହିଥିଲା।
ପରେ ଏହି ଲୋଟେରି ଟଂକା ପାଇବାକୁ ହେଲେ ବିଭିନ୍ନ ସମୟରେ ଟଂକା ପକାଇବାକୁ କୁହାଯାଇଥିଲା। ଚଞ୍ଚଳା ୨୦ ହଜାର ଟଂକା ଦେବା ପରେ ମଧ୍ୟ ସାଇବର ଲୁଟେରା ଆହୁରି ଟଂକା ମାଗିବା ପରେ ସେ ଠକାମୀର ଶିକାର ହୋଇଥିବା ହୃଦୟଙ୍ଗମ କରି ଆଉ ଟଂକା ଦେଇନଥିଲେ।ମିଥ୍ୟା ଫୋନ କରି ଲୋଟେରି ପାଇଥିବା ଖବର ଦେଇ ଏଭଳି ଟଂକା ଲୁଟ କରିଥିବା ନେଇ ଥାନାରେ ଏତଲା ଦେବା ପରେ କେଶ ନମ୍ବର ୮୭/୨୨ ରେ ପୁଲିସ ତଦନ୍ତ କରୁଥିଲା।
ସେହିପରି ଓର୍କେଲ ଥାନା ଅଂଚଳର ନାଲିଗୁଡା ଗ୍ରାମର ଜଗେର ନାଲିଙ୍କ ପୁଅ ସନିଆ ନାଲି(୩୦) ଗତ ବର୍ଷ ହିଁ କୈଳାଶ ଦେହୁରୀ ଏବଂ ଅଶ୍ବିନୀ କୁମାର ପ୍ରଧାନ ନାମକ ଦୁଇ ବ୍ୟକ୍ତି ସନିଆ ଠାରୁ ୨ ଲକ୍ଷ ୫୦ ହଜାର ଟଂକା ଠକି ନେଇଥିଲେ। ଏହି ଘଟଣାରେ ଓର୍କେଲ ପୁଲିସ କେଶ ନମ୍ବର ୧୧୯/୨୨ କେଶ ରୁଜୁ କରି ତଦନ୍ତ କରୁଥିଲେ। ତୃତୀୟ ଘଟଣାଟି ହେଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ଗ୍ରାମର ରାଜକୁମାର ପାଙ୍ଗିଙ୍କ ପତ୍ନୀ ଜହ୍ନ ପାଙ୍ଗୀ(୨୫)ଙ୍କୁ ମଧ୍ୟ ଏହି ଲୁଟେରାମାନେ ୨୫ ଲକ୍ଷ ଟଂକା ଜିତିଥିବା ପ୍ରଲୋଭନ ଦେଖାଇ ୨୬ ହଜାର ଟଂକା ଲୁଟିଥିଲେ।
ତେବେ ପୁଲିସ ଏହି ଘଟଣାର ତଦନ୍ତ କରି ଗତକାଲି କନ୍ଧମାଳ ଜିଲ୍ଲାର କାଲାଡି ଗ୍ରାମର ଦେବେଶ୍ବର ଦେହୁରୀଙ୍କ ଦୁଇ ପୁଅ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି। ଏହି ଦୁଇ ଜଣ ଅଭିଯୁକ୍ତ ଓଡ଼ିଶାରେ ରହି ଏହି ରାକେଟ ଚଳାଉଥିଲେ ବୋଲି ପୁଲିସ କହିଛି। ଲୁଟ କରିଥିବା ମୋଟ ୨ ଲକ୍ଷ ୯୬ ହଜାର ଟଂକା ଏମାନେ ବିଭିନ୍ନ ସମୟରେ ଓଡ଼ିଶା ବାହାର ଥିବା ଆକାଉଣ୍ଟରେ ପକାଇଥିବା ପୁଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ରହିଥିବାରୁ ତଦନ୍ତ ଚାଲିଥିବା ପୁଲିସ କହିଛି। ପୁଲିସର ଏହି ସଫଳତା ପରେ ଆଗକୁ ମଧ୍ୟ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ନ୍ୟାୟ ପାଇବେ ବୋଲି ଆଶା ପ୍ରକଟ କରାଯାଉଛି।

Related Posts

Seo wordpress plugin by www.seowizard.org.